Categories: Uncategorized

ମୃତଦେହ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ, ୨୯।୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆଠାରେ ବାଣ ବିସ୍ଫୋରଣ ବିଭିଷିକାରେ ରବିବାର ବିଳମ୍ବିତ ରାତିରେ ଦ୍ୱିତୀୟ ମୁଣ୍ଡ ଗଡିଛି । ସହରର ୧୨ ନଂ. ୱାର୍ଡ ଜୟିପୁରା ଗ୍ରାମର ଜୁମା ଖାନଙ୍କ ପୁଅ ପିଣ୍ଟୁ ଖାନଙ୍କ ମୃତ୍ୟୁ ହୋଇଛି। କଟକସ୍ଥ ଏସିବି ମେଡିକାଲରୁ ମୃତଦେହ ସୋମବାର କେନ୍ଦ୍ରାପଡ଼ା ଆସିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଶାସନର ଅବହେଳା ଯୋଗୁ ପିଣ୍ଟୁଙ୍କ ମୃତ୍ୟୁ ଘଟିଥିବା ଦର୍ଶାଇ କଫିନକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି କ୍ଷତିପୂରଣ ଦାବି କରାଯାଇଥିଲା। ପ୍ରାୟ ଦୁଇ ଘଣ୍ଟା ପରେ ଏଡିଏମ୍‌ ପିତାମ୍ବର ସାମଲ ଦୁର୍ଘଟଣା ଜନିତ କ୍ଷତିପୂରଣ ବାବଦ ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ଅନୁକମ୍ପାମୂଳକ ସହାୟତା ଯୋଜନାରେ ୪ ଲକ୍ଷ ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହିତ ମୃତଦେହ ସଂସ୍କାର ପାଇଁ କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ତେବେ ଜିଲା ପ୍ରଶାସନକୁ ଘେରିଥିବା ସ୍ଥାନୀୟ ଲୋକ ୨୦ ଲକ୍ଷ ଟଙ୍କା ଓ ପରିବାରର ଜଣେ ଲୋକଙ୍କୁ ସରକାରୀ ଚାକିରି ପାଇଁ ଅଡି ବସିଥିଲେ । ଏସମ୍ପର୍କରେ ଦାବିପତ୍ର ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ ବୋଲି ପ୍ରତିଶ୍ରୁତି ପରେ ପିଣ୍ଟୁଙ୍କ ମୃତଦେହ ସଂସ୍କାର ପାଇଁ ନିଆଯାଇଛି ।
ଏସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ସଲିମ , ହିଫଜୁର ରହେମାନ, ମୁକ୍ତାର ଖାଁ ପ୍ରମୁଖ କହିଛନ୍ତି, ଜୁମାଙ୍କ ପରିବାରରେ ୭ ଜଣ ସଦସ୍ୟ ା ସେମାନଙ୍କ ମଧ୍ୟରେ ପିଣ୍ଟୁ ହେଉଛନ୍ତି ଏକମାତ୍ର ରୋଜଗାରକ୍ଷମ । ଗତ ୨୩ ତାରିଖରେ ବାଲିଆଠାରେ କାର୍ତ୍ତିକେଶ୍ୱର ମେଢ଼ ଭସାଣିି ଉତ୍ସବ ଥିଲା ।୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହେବାକୁ ଥିବାରୁ ପିଣ୍ଟୁ ହରେକମାଲର ଏକ ଉଠା ଦୋକାନ ଖୋଲିଥିଲେ । ସନ୍ଧ୍ୟା ପ୍ରାୟ ୯ଟା ସମୟରେ ଭସାଣି ଶୋଭାଯାତ୍ରା ଚାଲିଥିବା ସମୟରେ ବାଣ ପ୍ରତିଯୋଗିତା ହେଉଥିଲା। ଏହି ବାଣର ନିଆଁ ଗଚ୍ଛିତ ରହିଥିବା ବାଣ ଟ୍ରଲି ଉପରେ ପଡିବାରୁ ବିସ୍ଫୋରଣ ହୋଇଥିଲା । ଏଥିରେ ଶତାଧିକ ଆହତ ହୋଇଥିବା ବେଳେ ୪୦ ଗୁରୁତରଙ୍କୁ କଟକ ବଡ ମେଡିକାଲରେ ଚିକିତ୍ସା କରାଯାଉଛି । ପିଣ୍ଟୁ ଶରୀର ଏହି ବାଣ ବିସ୍ଫୋରଣରେ ପ୍ରାୟ ୭୦ ଭାଗ ପୋଡ଼ି ଯାଇଥିଲା । ପ୍ରଶାସନ ଓ ପୂଜା କମିଟିର ଅବହେଳା ଯୋଗୁ ଏହି ବିସ୍ପୋରଣ ହୋଇଥିବାରୁ ଜିଲା ପ୍ରଶାସନ ନିକଟରେ କ୍ଷତିପୂରଣ ଦାବି ହୋଇଛି। ସୂଚନାଯୋଗ୍ୟ, ଏହି ବାଣ ବିସ୍ଫୋରଣ ଘଟଣାରେ କଟକ ଜିଲା ଅସୁରେଶ୍ୱର ଗ୍ରାମର ବାଣୁଆ ଉଦୟ ଭୋଇଙ୍କ ଗତ ଶନିବାର ମୃତ୍ୟୁ ହୋଇଛି ା ଏଥିସହିତ ଜିଲା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇ ୩ ଜଣଙ୍କୁ ଗିରଫ କରାଯାଇଛି ।