ରାସ୍ତା କାମ ବନ୍ଦ କଲେ ଗ୍ରାମବାସୀ

କାଳିଆପାଣି,୨୧ା୧୦(ଅସିତ ମହାନ୍ତ): ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲିଥିବା ଅରଡ଼ାପାଳ-ପୋଡ଼ାଘରା ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏପରି କି କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତରେ ଠିକାଦାର ମନମୁତାବକ କାମ କରୁଥିବାରୁ ଗୁରୁବାର ଗ୍ରାମବାସୀ କାମ ବନ୍ଦ କରିଥିଲେ। ଶୁକ୍ରବାର ସମ୍ପୃକ୍ତ ଯନ୍ତ୍ରୀ କାର୍ଯ୍ୟସ୍ଥଳକୁ ଆସିବାକୁ କହିଥିଲେ ମଧ୍ୟ ଆସି ନ ଥିଲେ। ତେବେ ଆଗକୁ ଠକ୍‌ରେ କାମ କରାଯିବ ବୋଲି ଠିକାଦାର ଏବଂ ଯନ୍ତ୍ରୀ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେବାପରେ ପୁଣି କାର୍ଯ୍ୟ ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ସୁକିନ୍ଦା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତର ଅରଡ଼ାପାଳଠାରୁ ପୋଡ଼ାଘରା ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି। ଭୁବନ ଅଞ୍ଚଳର ଠିକାଦାର ଏହି କାର୍ଯ୍ୟ କରୁଛନ୍ତି। ଟେଣ୍ଡରର ୨ ବର୍ଷ ପରେ କାମ ଆରମ୍ଭ ହୋଇଛି। ଠିକାଦାର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ବିଲ ମାଟିରେ ବେସ କରିବା ପରେ ବଡ଼ବଡ଼ ମେଟାଲ ବିଛାଇ ତା’ ଉପରେ ମାଟି ପକାଇ ଲେବୁଲ କରିଛନ୍ତି। ପରେ ରାସ୍ତାର ଉପରସ୍ତରରେ ଅଳ୍ପ କିଛି ମୋରମ ବିଛାଇ ରୋଲିଂ କରିଛନ୍ତି। ଠିକାଦାର ଜେନତେନ କରି ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ବସିଥିବାବେଳେ ବିଭାଗୀୟ ଯନ୍ତ୍ରୀ ପାଖ ମାଡୁନାହାନ୍ତି। ଆରମ୍ଭରୁ ଗ୍ରାମବାସୀ ଠିକାଦାରଙ୍କୁ ଠିକ୍‌ ଭାଗମାପ ଦେଇ କାମ କରିବାକୁ କହିଥିଲେ। ହେଲେ ଠିକାଦାର କର୍ଣ୍ଣପାତ କରି ନ ଥିଲେ। ପରେ ଗ୍ରାମବାସୀ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଉତ୍ତମ ନାୟକଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ଫଳ ନ ମିଳିବାରୁ ଦଅରଡ଼ାପାଳ, ପୋଡ଼ାଘରା ଓ ଛତାଟାଙ୍ଗର ଗଁା ଲୋକେ ମିଳିତ ହୋଇ କାମ ବନ୍ଦ କରିଥିଲେ। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ କନିଷ୍ଠ ଯନ୍ତ୍ରୀ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ମିଳି ପାରନାହିଁ।