ସ୍ବାଧୀନତାର ୭୮ ବର୍ଷ ପରେ ବି ଅନ୍ଧାରରେ ଗ୍ରାମବାସୀ: ଦେଲେ ଏଭଳି ଚେତାବନୀ, ବିଜୁଳି ନ ମିଳିଲେ …

ଥୁଆମୁଳ ରାମପୁର, ୧୭।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକ ଅଧୀନସ୍ଥ ‘ତୁମୋନୀଖୋଲ’ ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ପହଞ୍ଚି ପାରିନାହିଁ। ପ୍ରଶାସନିକ ଉଦାସୀନତା ଯୋଗୁ ସ୍ବାଧୀନତାର ୭୮ ବର୍ଷ ପରେ ବି ଗ୍ରାମଟି ଅନ୍ଧାର ଘେରରେ ରହିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି।
ଗ୍ରାମରେ ବର୍ଷକ ପୂର୍ବେ ସୋଲାର ଲାଇଟ ବ୍ୟବସ୍ଥା କରାଯାଇଥିଲା। ମାତ୍ର ନିମ୍ନମାନର ସାମଗ୍ରୀ ଯୋଗୁଁ ପ୍ରକଳ୍ପଟି ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ପରବର୍ତ୍ତୀ ସମୟରେ, ମରାମତି ଆଳରେ କେତେକ ଅଜଣା ବ୍ୟକ୍ତି ଗ୍ରାମରୁ ବ୍ୟାଟେରୀଗୁଡ଼ିକୁ ନେଇଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଫଳରେ ଗ୍ରାମରେ ରାତ୍ରିକାଳୀନ ଅନ୍ଧକାର ସମସ୍ୟା ଅଧିକ ଜଟିଳ ହୋଇଛି। ପ୍ରାୟ ୪୫ ପରିବାରର ୨୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ୭୦ରୁ ଅଧିକ ଭୋଟର ଅଛନ୍ତି। ବିଦ୍ୟୁତ ଅଭାବରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଗମ୍ଭୀର ଭାବେ ବ୍ୟାହତ ହେଉଥିବା ବେଳେ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ବିଷାକ୍ତ ସରୀସୃପଙ୍କ ଭୟ ରହୁଛି। ମୋବାଇଲ ଚାର୍ଜ ପାଇଁ ଗ୍ରାମବାସୀଙ୍କୁ ମାଇଲ ମାଇଲ ଦୂର ଅନ୍ୟ ଗ୍ରାମ ଉପରେ ନିର୍ଭର କରିବାକୁ ପଡ଼ୁଛି। ବିଦ୍ୟୁତ ସଂଯୋଗ ନଥିବାରୁ ସରକାରଙ୍କ ପ୍ରମୁଖ ପାନୀୟ ଜଳ ପ୍ରକଳ୍ପ ‘ବସୁଧା ଯୋଜନା’ ମଧ୍ୟ ଏଠାରେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ମୌଳିକ ସେବାରୁ ବଞ୍ଚିତ ଗ୍ରାମବାସୀ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ବିଦ୍ୟୁତ ସଂଯୋଗ କରାନଗଲେ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଭୋଟ ବର୍ଜନ କରିବେ ବୋଲି ସ୍ପଷ୍ଟ ଚେତାବନୀ ଦେଇଛନ୍ତି।
ଏହି ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଶୁଭ୍ରଜିତ୍‌ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, “ବ୍ଲକର ଏଭଳି ଅନ୍ୟ ବିଦ୍ୟୁତିକରଣ ଗ୍ରାମଗୁଡ଼ିକର ଜିଲା ପ୍ରଶାସନକୁ ଅବଗତ କରାଯିବ। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।” ଅପରପକ୍ଷେ ବ୍ଲକ ପ୍ରଶାସନ ସୂଚନା ଦେଇ କହିଛନ୍ତି, “ଆମ ପାଖରେ ତୁମୋନୀଖୋଲ ଗ୍ରାମର ନାମ ତାଲିକା ରହିଛି ଏବଂ ଆମେ ଏହି ଲିଷ୍ଟ ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତର କରିଛୁ। ଉପର ସ୍ତରରୁ ଆସିବାକୁ ଥିବା ନିର୍ଦ୍ଦେଶ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।” ତେବେ ଜିଲାପାଳ ଏହି ଦୁର୍ଗମ ଅଞ୍ଚଳର ମୌଳିକ ସମସ୍ୟା ପ୍ରତି କିଭଳି ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଆଗାମୀ ସମୟରେ ଦେଖିବାକୁ ବାକି ରହିଲା।

 

Odisha’s No.1 Odia Daily

 

 

 

Share