ବାଲିଶଙ୍କରା,୨୮ା୧୧(ହୃଦାନନ୍ଦ ବାରିକ): ଯେଉଁ ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ସରକାରୀ ବିଭାଗ ରହିଛି, ସେହି ରାସ୍ତାର ଗର୍ତ୍ତ ପୋତିବାକୁ ଶେଷରେ ଗ୍ରାମବାସୀଙ୍କୁ ହାତରେ କୋଦାଳ ଧରିବାକୁ ପଡ଼ିଛି। ଏଭଳି ଦୃଶ୍ୟ ବାଲିଶଙ୍କରା ବ୍ଲକ ସରବାହାଲଠାରେ ଦେଖିବାକୁ ମିଳିଛି।
କରମଡିହି, ସବ୍ଡେଗା ଓ ବାଲିଶଙ୍କରା ଦେଇ ଛତିଶଗଡ଼କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ଦୁରବସ୍ଥା ଏବେ ପ୍ରଶାସନିକ କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇଛି। ଦୀର୍ଘଦିନ ଧରି ଏହି ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ଯାତାୟାତକୁ ବିପଦସଙ୍କୁଳ କରିଥିଲା।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତାର ଦୁରବସ୍ଥା ସମ୍ପର୍କରେ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଆବଶ୍ୟକ ମରାମତି କରାଯାଇ ନ ଥିଲା। ଶେଷରେ ଗ୍ରାମବାସୀ ନିଜେ ରାସ୍ତା ମରାମତି ପାଇଁ ଆଗେଇ ଆସିଥିଲେ।
ସରବାହାଲଠାରେ ରାସ୍ତାର ବଡ଼ ବଡ଼ ଗର୍ତ୍ତରେ ପିଚୁ ପକାଇ ସମତଳ କରିବା ସହ ଯାତାୟାତ ଉପଯୋଗୀ କରିବାକୁ ଉଦ୍ୟମ କରିଥିଲେ। ଏହି ସାମୂହିକ କାର୍ଯ୍ୟରେ ଅଶୋକ ସା, ମାନହୁ ଦାନୀ, ସହଦେବ ନାଏକ, ସଞ୍ଜୁ ସାହୁ, ବିଟୁ ସା, ମଣ୍ଟୁ ରଣା, ରାଜୁ ପାତ୍ର, ଶିବନାଥ ସାହୁଙ୍କ ସମେତ ଅନ୍ୟ ଗ୍ରାମବାସୀ ସାମିଲ ହୋଇଥିଲେ। ଏହି ରାସ୍ତାରେ ପାଉଁଶ ବୋଝେଇ ଡମ୍ପର ଓ ଅନ୍ୟ ଭାରିଯାନ ଚଳାଚଳ ଯୋଗୁ ଧୂଳି ପ୍ରଦୂଷଣ ମଧ୍ୟ ଦିନକୁ ଦିନ ଗୁରୁତର ହେଉଛି।
ଏଭଳି ସ୍ଥିତିରେ ରାସ୍ତା ମରାମତି ସହ ଧୂଳି ନିୟନ୍ତ୍ରଣ ଦିଗରେ ମଧ୍ୟ ସମ୍ପୃକ୍ତ ବିଭାଗର ନଜର ନାହିଁ କାହିଁକି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ତୁରନ୍ତ ସ୍ଥାୟୀ ମରାମତି, ରାସ୍ତାର ଉନ୍ନତୀକରଣ ଓ ଧୂଳି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।