ଜଳକଷ୍ଟ ଦୂର କଲେ ଗ୍ରାମବାସୀ

ସୁନ୍ଦରଗଡ଼,୨୬ା୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକ ମେଘଡେଗା ପଞ୍ଚାୟତ କଟ୍ରା ଗ୍ରାମବାସୀ ମିଳିତଭାବେ ଗ୍ରାମର ଜଳକଷ୍ଟ ଦୂର ପାଇଁ ଆଣ୍ଟା ଭିଡ଼ିଛନ୍ତି। ଗ୍ରାମାବସୀଙ୍କ ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି। ଗ୍ରାମପାଖ ଦେଇ ଯାଇଥିବା ତମଙ୍ଗା ନାଳ ଉପରେ ଗ୍ରାମବାସୀ ନିର୍ଭର କରିଥାନ୍ତି। ଚଳିତ ବର୍ଷ ଶୁଖି ଯିବା ଯୋଗୁଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏପରିକି ଶୌଚ କାର୍ଯ୍ୟ ପାଇଁ ମଧ୍ୟ ବିଭିନ୍ନ ଅସୁବିଧା ଭୋଗୁଥିଲେ। ଏହି ଖବର ପାଇଲା ପରେ ମେଘଡେଗା ସମିତି ସଭ୍ୟ ପ୍ରୋମଦିନୀ ମାଝୀ ଅଞ୍ଚଳର ଭାଜପା ଯୁବ ନେତା ସଞ୍ଜୀବ ସିଂଙ୍କୁ ଜଣାଇଥିଲେ। ପରେ ଉଭୟେ ଗ୍ରାମବାସୀଙ୍କ ସହ କଥାବାର୍ତ୍ତା ହୋଇଥିଲେ। ସମସ୍ତ ଗ୍ରାମବାସୀ, ସମିତି ସଭ୍ୟଙ୍କ ସହ ମିଶି ସଞ୍ଜୀବ ସିଂ ନିଜ ଜେସିବି ନେଇ ଗୁରୁବାର ଦିନ ତମାମ ପ୍ରବଳ ଗରମ ସତ୍ତ୍ୱେ ନାଳକୁ ଗଭୀର ଖନନ କରି ପାଣି ବାହାର କରିବାରେ ସକ୍ଷମ ହୋଇଛନ୍ତି। ଏହାଦ୍ବାରା ଗ୍ରାମର ଜଳକଷ୍ଟ ଦୂର ହେବା ସହ ଜୀବଜନ୍ତୁଙ୍କ ପାଇଁ ଜଳ ସଂରକ୍ଷଣ କରି ହେବ। ଏନେଇ ଗ୍ରାମବାସୀଙ୍କ ଭିତରେ ଖୁସିର ଲହରୀ ଖୋଳିଯାଇଛି।