ଶୁଣିଲେନି କେହି: ୬ କି.ମି. ରାସ୍ତା ମରାମତି କଲେ ଗ୍ରାମବାସୀ

ଦଶମନ୍ତପୁର,୯ା୧୧(ଡି.ଏନ୍‌.ଏ.): ଶୁଣିଲାନି ପ୍ରଶାସନ। ବାରମ୍ବାର ଜଣାଇବା ପରେ ବାଧ୍ୟ ହୋଇ ଏବେ ଗ୍ରାମବାସୀ ଶ୍ରମ ଦାନକରି ୬ କି.ମି. ଘାଟିରାସ୍ତା ମରାମତି କରିଛନ୍ତି। ଏହା ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଗାଦିଆଗୁଡ଼ା ପଞ୍ଚାୟତ ପୁଟମାରି ଗ୍ରାମରେ। ପୁଟମାରି, ଲୁଲା ଘାଣ୍ଟ୍ରାଗୁଡା ଘାଟି ରାସ୍ତା ଉପରେ ପୋଦୁଗୁଡ଼ା, ତବଜା ଗୁଡ଼ା, କୁଦାଲ, ଅଟାଲ, ଲୁଲା ପରି ୭/ ୮ ଖଣ୍ଡ ଗ୍ରାମର ଲୋକେ ନିର୍ଭର କରିଥାନ୍ତି। ଗ୍ରାମଠାରୁ ୧୦ କି.ମି. ଦୂର ପୋଡ଼ାଗଡ଼ ସାପ୍ତାହିକ ହାଟ, ଲ୍ୟାମ୍ପସ, ମଣ୍ଡି କିମ୍ବା କୋରାପୁଟ ଡାକ୍ତରଖାନା ଯିବାକୁ ହେଲେ ଗ୍ରାମବାସୀଙ୍କ ପାଇଁ ଏହି ରାସ୍ତା ସୁବିଧାଜନକ ହୋଇଥାଏ।

ହେଲେ ରାସ୍ତା ଖରାପ ହୋଇଯିବାରୁ ଏବେ ଉପରୋକ୍ତ ଗ୍ରାମବାସୀ ପୋଡ଼ାଗଡ଼ ହାଟ, ବଜାର ଏବଂ ଲ୍ୟାମ୍ପସ କାର୍ଯ୍ୟାଳୟକୁ ଯିବାକୁ ହେଲେ ୩୦/୪୦ କି.ମି. ଦୂର ବୁଲି ଯାଉଛନ୍ତି। ଏଥିପାଇଁ ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଘାଟିରାସ୍ତାକୁ ପକ୍କା ରାସ୍ତା କରିବାକୁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ନ ଶୁଣିବାରୁ ଶ୍ରମଦାନ କରି ଗ୍ରାମବାସୀ ଉକ୍ତ ରାସ୍ତାକୁ ଗ୍ରାମଠାରୁ ପୁଟମାରି, କଡ଼ମା ଝୋଲାଗାଁ ଦେଇ ପାଇକପୁକି ଶିବମନ୍ଦିର ଛକ ପର୍ଯ୍ୟନ୍ତ ୬ କି.ମି. ରାସ୍ତା ମରାମତି କରି ନିର୍ମାଣ କରିଛନ୍ତି।