ଶୁଣିଲାନି ପ୍ରଶାସନ: ରାସ୍ତା ମରାମତି କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି,୧୭।୧୧(ଡି.ଏନ.ଏ): ମୋହନା ବ୍ଲକଠାରୁ ମାତ୍ର ୬କି.ମି. ଦୂର କର୍ଚ୍ଚବାଡି ପଞ୍ଚାୟତର ପାହାଡ଼ ପାଦଦେଶରେ ଅବସ୍ଥିତ ଡଙ୍ଗରୀଗାଁ ଗ୍ରାମକୁ ରାସ୍ତା ନାହଁ। ପ୍ରଶାସନ ନିକଟରେ ବହୁବାର ଏହି ସମସ୍ୟା ଜଣାଇଥିଲେ ବି ସୁଫଳ ମିଳିଲାନି। ତେଣୁ ଗ୍ରାମବାସୀ ଗାଁ ରାସ୍ତା ନିଜେ ମରାମତି କରିଛନ୍ତି। ଡଙ୍ଗରୀଗାଁ ଯିବାକୁ ହେଲେ ଜାତୀୟ ରାଜପଥ ୩୨୬ରୁ ବି. ରାଇସିଂଙ୍ଗି ଛକ ପର୍ଯ୍ୟନ୍ତ ଯାନବାହନ ଯାତାୟାତ କରେ। ସେଠାରୁ ୩କିମି ରାସ୍ତା ନ ଥିବାରୁ ଗ୍ରାମବାସୀ ପାହାଡିଆ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଯା’ଆସ କରନ୍ତି। ଗ୍ରାମରେ ୩୦ ପରିବାର ରହୁଥିବା ବେଳେ ଲୋକ ସଂଖ୍ୟା ଦୁଇଶହରୁ ଉଦ୍ଧର୍‌ବ । ଗାଁକୁ ରାସ୍ତା ନ ଥିବାରୁ ଘର ତିଆରି ସାମଗ୍ରୀ ଯାଇପାରେ ନାହିଁ। ତେଣୁ କାହାରି ବି ପକ୍କା ଘର ଖଣ୍ଡେ ହୋଇପାରିନି। ୨୦୧୯/୨୦ରେ ଗ୍ରାମରେ ପକ୍କା ଘର ନିର୍ମାଣ ପାଇଁ ୧୪ ଜଣଙ୍କ ନାମ ତାଲିକାରେ ଆସିଥିଲ। ହେଲେ ରାସ୍ତା ସମସ୍ୟା ଥିବାରୁ କେହି ଘର କରିପାରିନାହାନ୍ତି । ଗାଁରୁ ଛାତ୍ରୀଛାତ୍ର ୨ କିମି ଚାଲିଚାଲି ପାଠ ପଢିବା ପାଇଁ ରାଇସିଂଙ୍ଗି ଗ୍ରାମକୁ ଯାଆନ୍ତି। ରାସ୍ତା ନଥିବାରୁ ଗର୍ଭବତୀ ହୁଅନ୍ତୁ କିମ୍ବା ରୋଗୀ ଭାରରେ ୩ କିମି ଆସିବା ପରେ ଆମ୍ବୁଲାନ୍ସ ସେବା ମିଳିଥାଏ। ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ମୋହନା ବିଡିଓଙ୍କୁ ବହୁବାର ଅଭିଯୋଗ କରିଛନ୍ତି । ଏପରକି ଉପଜିଲାପାଳଙ୍କ ମଲିପଦର ଗସ୍ତ ସମୟରେ ମଧ୍ୟ ଦାବିପତ୍ର ପ୍ରଦାନ କରିଛନ୍ତି । ଅନେକ ଥର ଜିଲାପ୍ରଶାସନକୁ ଲିଖିତ ଅଭିଯୋଗ କରାଯାଇଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି । ତେଣୁ ଗ୍ରାମବାସୀ ଏକାଠି ହୋଇ ଗ୍ରାମ ରାସ୍ତା ମରାମତି କରିଛନ୍ତି। ତୁରନ୍ତ ଗ୍ରାମକୁ ସ୍ଥାୟୀ ରାସ୍ତା ନିର୍ମାଣ ନ ହେଲେ ବ୍ଲକ କାର୍ଯ୍ୟଳୟରେ ଧାରଣା ଦେବୁ ବୋଲି କହିଛନ୍ତି।