ବିଦ୍ୟାଳୟ ଉଚ୍ଛେଦକୁ ଗ୍ରାମବାସୀଙ୍କ ବିରୋଧ

ବାଲିଗୁଡ଼ା,୧୨।୪(ଡି.ଏନ.ଏ.): ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ଜିଲାରେ କମ୍‌ ଉପସ୍ଥାନ ଦର୍ଶାଇ ଶିକ୍ଷା ବିଭାଗ ପକ୍ଷରୁ ଅନେକ ସ୍କୁଲ ଉଚ୍ଛେଦ ହୋଇଛି। ଏହାକୁ ନେଇ ପୂର୍ବରୁ ଅନେକ ବିବାଦ ମଧ୍ୟ ହୋଇଛି। କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଶିକ୍ଷା ବିଭାଗ ପକ୍ଷରୁ ବନ୍ଦ କରାଯାଇଥିବା ମିଡ଼ିଆକିଆ ଗ୍ରାମ ପଞ୍ଚାୟତର ସେନାପଡ଼ି ଓ ଚିଙ୍ଗିରି ଗାଁ, ଏହି ଦୁଇଟି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର ଚାଲୁ କରିବାକୁ ଦାବି କରିଛନ୍ତି ଛାତ୍ରୀଛାତ୍ର, ଅଭିଭାବକ, ଜନ ପ୍ରତିନିଧି ଓ ଅଞ୍ଚଳବାସୀ। ଏହି ଦୁଇ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ରମାନେ ନଦୀ, ନାଳ, ବଣ ଜଙ୍ଗଲ, ଘାଟି ରାସ୍ତା ଦେଇ ୪/୫ କିଲୋମିଟର ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ କରି ସ୍ଥାନାନ୍ତର କରାଯାଇଥିବା ବିଦ୍ୟାଳୟକୁ ଯାଇ ସେଠାରେ ପାଠ ପଢ଼ିବା ବିପଦପୂର୍ଣ୍ଣ ଓ ଅସୁରକ୍ଷିତ ବୋଲି ଅଭିଭାବକ ଓ ଅଞ୍ଚଳବାସୀ କହିଛନ୍ତି ।
ପୂର୍ବରୁ ଏନେଇ ବାରମ୍ବାର ବ୍ଲକ୍‌ ଶିକ୍ଷାଧିକାରୀ, ଜିଲା ଶିକ୍ଷାଧିକାରୀ ଓ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାବତ କୌଣସି ସୁଫଳ ମିଳିପାରି ନାହିଁ। ଏଣୁ ମଙ୍ଗଳବାର ସମସ୍ତେ ଏକାଠି ହୋଇ ବାଲିଗୁଡ଼ା ସଭାଗୃହଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଉଦ୍ଦେଶ୍ୟରେ ଗ୍ରାମବାସୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ମିଡିଆକିଆ ସରପଞ୍ଚ ଅଶୋକ ମଲ୍ଲିକ, ସମିତି ସଭ୍ୟ ଜାନକୀ କହଁର, ସାମାଜିକ କର୍ମୀ ତଥା ୱାର୍ଡ ମେମ୍ବର ଉପଦେଷ୍ଟା ପରମାନନ୍ଦ ନାୟକ, ବ୍ଲକ୍‌ ସମ୍ପାଦକ ସ୍ବାଧୀନ ଦିଗାଳଙ୍କ ସମେତ ସମସ୍ତ ଛାତ୍ରୀଛାତ୍ର, ଅଭିଭାବକ ଓ ଅଞ୍ଚଳବାସୀ ସାମିଲ ହୋଇଥିଲେ।