ଜଳକଷ୍ଟ ଭୋଗୁଛନ୍ତି ଶୂଳିଆକୋଲନି ଗ୍ରାମବାସୀ

କୋରୁକୋଣ୍ଡା ୨୬।୦୫(ଡି.ଏନ. ଏ): ମୁନ୍ଦାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ଗ୍ରାମ ପଞ୍ଚାୟତ ଶୂଳିଆକୋଲନି ଗ୍ରାମବାସୀ। ଉକ୍ତ ଗ୍ରାମଟି ମାଲକାନଗିଋ ଜିଲା ସଦରଠାରୁ କୋରୁକୋଣ୍ଡା ବ୍ଲକ ସଦରକୁ ଆସିବା ମୁଖ୍ୟ ରାସ୍ତା କଡରେ ଅବସ୍ଥିତ। କେବେ ମୁନ୍ଦାଏ ପାଣି ପାଇଁ ନଦୀ ନାଳରୁ ଚୁଆଁ ପାଣି ପିଉଛନ୍ତି ତ କେବେ କୂଅରୁ ପାଣି ପିଇବାକୁ ପଡୁଛି। ବିଶୁଦ୍ଧ ପାଣି ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ ସବୁଥିରୁ ନିରାଶ ହେଉଛନ୍ତି। ବହୁ ଅଭିଯୋଗ ପରେ ସରକାରଙ୍କ ତରଫରୁ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ପ୍ରତ୍ୟେକ ଗ୍ରାମରେ ନଳକୂପ ଦ୍ୱାରା ପାଣି ଯୋଗାଇ ଦିଆଯାଇଥିଲା । ପରେ ବହୁ ନଳକୂପ ଅଚଳ ହୋଇଯାଇଥିଲା। ନଳକୂପ ପାଣି ବ୍ୟବହାର ଉପଯୋଗୀ ହେଉ ନ ଥିବା ନେଇ ସରକାରଙ୍କ ନଜରକୁ ଆସିବା ପରେ ବହୁ ଅର୍ଥ ବ୍ୟୟରେ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପରେ ଷ୍ଟାଣ୍ଡ ପୋଷ୍ଟ କରି ଗ୍ରାମବାସୀଙ୍କୁ ଜଳ ଯୋଗାଣ ଆରମ୍ଭ କରାଯାଇଥିଲା । ଏତେସବୁ ଯୋଜନା ପରେ ମଧ୍ୟ ଆଜି ବି ଲୋକେ ପାଣି ପାଇଁ ଖରାରେ ନଳକୂପ ଆଗରେ ଧାଡିବାନ୍ଧି ଠିଆ ହେଉଛନ୍ତି।
ସୂଚନାଯୋଗ୍ୟ, ଶୂଳିଆକୋଲନି ଗ୍ରାମରେ ମୋଟ ୨୫ରୁ ଉର୍ଦ୍ଧ ପରିବାରର ପ୍ରାୟ ୨୪୦ଜଣ ସଦସ୍ୟରୁ ଉର୍ଦ୍ଧ ଲୋକେ ବାସକରନ୍ତି । ୨୪୦ଜଣ ଲୋକଙ୍କ ପାଇଁ ମାତ୍ର ୨ଗୋଟି ନଳକୂପ ବହୁଦିନ ଧରି ଜଳ ଯୋଗାଇ ଆସୁଥିଲା । ସ୍ଥାନୀୟ ପ୍ରଶାନଙ୍କୁ ବାରମ୍ବାର ନିବେଦନ ପରେ ବର୍ଷେ ପୂର୍ବେ ଉକ୍ତ ଗ୍ରାମକୁ ଏକ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ସରକାରଙ୍କ ତରଫରୁ ଯୋଗାଇ ଦେବା ସହିତ ପାଞ୍ଚ ଗୋଟି ଷ୍ଟାଣ୍ଡ ପୋଷ୍ଟ ଯୋଗାଇ ଦିଆଯାଇଥିଲା। ହଲେ ଉକ୍ତ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କ୍ଷମ ହେବାର ବର୍ଷକ ମଧ୍ୟରେ ଦୁଇଥର କୌଣସି କାରଣ ବଶତଃ ଅଚଳ ହୋଇଯିବାରୁ ସ୍ଥାନୀୟ ଅଧିକାରୀଙ୍କୁ ଗ୍ରାମବାସୀ ଅଭିଯୋଗ କରିବାରୁ ମରାମତି କରିଦିଆ ଯାଇଥିଲା । କିନ୍ତୁ ବର୍ତ୍ତମାନ ମାସେରୁ ଉର୍ଦ୍ଧ ହେବ ପ୍ରକଳ୍ପ ଅଚଳ ପଡିଥିଲେ ମଧ୍ୟ ଅଧିକାରୀଙ୍କୁ ଯେତେ କହିଲେବି କେହି ଶୁଣୁ ନଥିବା କହିଛନ୍ତି ଗ୍ରାମବାସୀ।
ଏବେ ସାରାରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଖରା ସାଙ୍ଗକୁ ଗୁଳୁଗୁଳି ବଢୁଥିବା ବେଳେ ମୁନ୍ଦାଏ ପିଇବା ପାଣି ପାଇଁ ଗ୍ରାମବାସୀଙ୍କ ଭରସା ସେହି ପୁରୁଣା ନଳକୂପ ବୋଲି ଗ୍ରାମବାସୀ ଦୁଃଖ ଭରା କଣ୍ଠରେ କହିବା ସହ ପ୍ରଶାସନର ଖାମଖିଆଲି ମନୋଭାବ ଓ ନିମ୍ନ ମାନର ଯନ୍ତ୍ର ପାତି ବ୍ୟବହାର ପାଇଁ ଉକ୍ତ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ବାରମ୍ବାର ଅଚଳ ହୋଇପଡୁଛି ବୋଲି ଲକ୍ଷ୍ମୀ ଖରା, କୁସୁମା ଖିଲ, ଲକ୍ଷ୍ମୀ ର୍କିଷାନୀ, ହରିବାଲା ପୂଜାରୀ,
ଗୌ ଖରଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।