ଜଳବନ୍ଦୀରେ ବଳଭଦ୍ରପୁର ଗ୍ରାମବାସୀ

ଜେନାପୁର,୧୮ା୯(ଅଶୋକ ଦାସ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ୯ ନମ୍ବର ୱାର୍ଡବାସୀ ପାଣି ଘେରରେ ରହିଥିବା ଦେଖିବାକୁ ମିଳିଛି। ଏହି ଗ୍ରାମରେ ୩୦୦ ଲୋକ ବସବାସ କରୁଛନ୍ତି। ସେମାନଙ୍କ କହିବା ମୁତାବକ, ପ୍ରତିବର୍ଷ ବର୍ଷା ଋତୁରେ ଏକ ପ୍ରକାର ଜଳବନ୍ଦୀ ଜୀବନ ଯାପନ କରୁଛନ୍ତି। ଏହି ଜଳବନ୍ଦୀର ମୁଖ୍ୟ କାରଣ ଏରାସ୍ତା ଖାଲୁଆ ହୋଇଥିବା ବେଳେ ଡ୍ରେନେଜ ବ୍ୟବସ୍ଥା କରାଯାଇନାହିଁ। ଜନପ୍ରତିନିଧି କିମ୍ବା ପ୍ରଶାସନ ପକ୍ଷରୁ ପାଣି ନିଷ୍କାସନ ବ୍ୟବସ୍ଥା ହେଉନାହିଁ। ସେମାନେ ବର୍ଷାଋତୁ ଆରମ୍ଭରୁ ଶେଷଯାଏ ପ୍ରାୟ ୪ ମାସ ଧରି ଏହି ସମସ୍ୟା ଭୋଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଗାଁ ଭିତର ରାସ୍ତା କଂକ୍ରିଟ ହୋଇଥିଲେ ମଧ୍ୟ ତାହା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣିର ଲହଡ଼ି ଦେଖିବାକୁ ମିଳିଛି। ପରିସ୍ଥିତି ଏମିତି ହୋଇଛି ପାନୀୟ ଜଳଯୋଗାଣ ପାଇଁ ବସାଯାଇଥିବା ଟ୍ୟାପ୍‌ ମଧ୍ୟ ପାଣିଘେରରେ ରହିଛି। ମହିଳାମାନେ ପିଇବା ପାଣି ଆଣିବାକୁ ଆଣ୍ଠୁଏ ପାଣିରେ ପଶି ଯିବାକୁ ପଡ଼ୁଛି। ପାଣିରେ ପଶି ଛୋଟଛୋଟ ପିଲାମାନେ ସେହି ୱାର୍ଡରେ ଥିବା ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ଯିବା ଆସିବା କରୁଛନ୍ତି। ଏହାଦ୍ୱାରା ଛୋଟଛୋଟ ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏହି ଆବର୍ଜନା ପାଣିରେ ଯିବା ଆସିବା କରିବା ଦ୍ୱାରା ଲୋକଙ୍କ ଗୋଡ଼ ବାଲି ଖାଇବା, କଣ ନଖା, ଗୋଡ଼ କୁଣ୍ଡେଇ ହେବା ଆଦି ଚର୍ମ ରୋଗ ଦେଖା ଦେବା ସହିତ ଅଧିକ ସଂକ୍ରମିତ ହେବା ସମ୍ଭାବନା ରହିଛି। କେତେଜଣ ପରିବାର ବଡ଼ବଡ଼ ପଥର ପକାଇ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି। ଆବର୍ଜନା ପାଣି ଦୁର୍ଗନ୍ଧ ହେଉଥିବାରୁ ଲୋକେ ଘରେ ଭଲରେ ଖାଇ ପିଇ ପାରୁ ନାହାନ୍ତି। ସେମାନଙ୍କ ଘରେ ସାପ ଓ ବେଙ୍ଗ ପଶି ଯାଉଛନ୍ତି। ଯାହାକୁ ନେଇ ଲୋକେ ଭୟଭୀତ ହୋଇ ପଡୁଛନ୍ତି। ତେଣୁ ବ୍ଲକ୍‌ ପ୍ରଶାସନ ତୁରନ୍ତ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।