ଅସ୍ଥାୟୀ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ସାରସକଣା,୫।୧୧(ଡି.ଏନ.ଏ.): ୪ବର୍ଷ ହେଲା ଗ୍ରାମରେ ସ୍ଥାୟୀ ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ। ଏକ କ୍ଲବ ଗୃହକୁ ଅସ୍ଥାୟୀ ଅଙ୍ଗନଓ୍ବାଡି ରୂପେ ବ୍ୟବହାର କରି ପିଲାଙ୍କୁ ପଢ଼ାଯାଉଛି। ନୂତନ କେନ୍ଦ୍ର ନିର୍ମାଣ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ଅସ୍ଥାୟୀ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି। ଫଳରେ ପିଲାମାନଙ୍କୁ ଗଛ ତଳେ ବସି ପଢ଼ିବାକୁ ପଡ଼ିଛି। ମୟୂରଭଞ୍ଜ ଜିଲା ସାରସକଣା ବ୍ଲକର ରାଜାଲୋକା ଗ୍ରାମରେ ଶୁକ୍ରବାର ଏଭଳି ଘଟଣା ଦେଖିବାକୁ ମିଳିଛି।
ପ୍ରକାଶ ଯେ, ୨୦୧୮ ଏପ୍ରିଲରେ ଗ୍ରାମରେ ଥିବା ପୁରାତନ ଅଙ୍ଗନଓ୍ବାଡି କେନ୍ଦ୍ରର ଛାତ ଖସିପଡ଼ିବାରୁ ଉକ୍ତ ଗୃହକୁ ଅଚଳ କରିଦିଆଯାଇଥିଲା। ସେବେଠାରୁ ଏଠାରେ ସ୍ଥାୟୀ ଅଙ୍ଗନଓ୍ବାଡି ଗୃହ ନାହିଁ। ଗ୍ରାମର ଏକ କ୍ଲବ ଘରକୁ ଅସ୍ଥାୟୀ ଭାବେ ଅଙ୍ଗନଓ୍ବାଡି କେନ୍ଦ୍ର ରୂପେ ବ୍ୟବହାର କରିବାକୁ ଗ୍ରାମବାସୀଙ୍କ ଅନୁମୋଦନ କ୍ରମେ ଦିଆଯାଇଥିଲା। ଗ୍ରାମବାସୀଙ୍କ କହିବା ମୁତାବକ ୬ ମାସ ପାଇଁ କ୍ଲବ ଘରକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇ ୪ ବର୍ଷ ପରେ ବି ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ସେମାନେ ତାଲା ପକାଇ ଦେଇଛନ୍ତି। ରାଜାଲୋକା ସରପଞ୍ଚ ରବିକାନ୍ତ ସିଂ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି କ୍ଲବ ଗୃହ ଛାତ ଫାଟି ଯାଇଥିବାରୁ ବିପଦସଙ୍କୁଳ ଥିବା କହିଥିଲେ। ଅସ୍ଥାୟୀ ଭାବେ ପଞ୍ଚାୟତ ଗୃହକୁ ବ୍ୟବହାର କରିବାକୁ ସରପଞ୍ଚ କହିଥିଲେ ମଧ୍ୟ ଗ୍ରାମଠାରୁ ଦୂର ହେଉଥିବାରୁ ପିଲାମାନଙ୍କ ଯାତାୟାତରେ ଅସୁବିଧା ହେବ ବୋଲି ପ୍ରକାଶ କରିଥିଲେ ୱାର୍ଡସଭ୍ୟ ଯାଜ୍ଞସିନୀ ପ୍ରତିହାରୀ। ଏନେଇ ସିଡିପିଓ ଭାନୁମତୀ ବେହେରା କହିଛନ୍ତି, ଉକ୍ତ ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର ପାଇଁ ଅନେକ ଥର ବିଡିଓଙ୍କୁ ଜଣାଇବା ସହ ଚିଠି ଜରିଆରେ ଜିଲାପାଳ ଓ ଜିଲା କଲ୍ୟାଣ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେବେ ଶନିବାରଠାରୁ ଅସ୍ଥାୟୀ ଭାବେ ଗ୍ରାମର ଏକ ଘରକୁ ଭଡ଼ାସୂତ୍ରରେ ନିଆଯାଇ ଅଙ୍ଗନଓ୍ବାଡି କେନ୍ଦ୍ର ଚାଲିବ। ଜିଲା ପ୍ରଶାସନ ସହ ଆଲୋଚନା କରି ନୂତନ କେନ୍ଦ୍ର ନିର୍ମାଣ ପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ।