ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର ପ୍ରସାଦ ଡିଆରେ ସ୍ଥାୟୀ ସେତୁ ନିର୍ମାଣ, କୁମ୍ଭୀର ଉପଦ୍ରବରୁ ଜନଜୀବନର ସୁରକ୍ଷା ଏବଂ ପ୍ରାୟ ୫୦୦ ଏକର ଚାଷଜମିର ସୁରକ୍ଷା ଦାବିରେ ସୋମବାର ଗ୍ରାମବାସୀମାନେ ଆମରଣ ଅନଶନରେ ବସିଛନ୍ତି।

ଗାଁର ପ୍ରାୟ ୧୭୦ ପରିବାରର ଆବାଳବୃଦ୍ଧବନିତା ହାତରେ ପ୍ଲାକାର୍ଡ ଧରି ଏବଂ ‘ଶୁଣ ସରକାର, ଆମକୁ ବଞ୍ଚାଇଦିଅ’ ସ୍ଲୋଗାନ ଦେଇ ରାଜକନିକା ସଦରସ୍ଥିତ କନିକା ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ଗ୍ରାମବାସୀଙ୍କ ଏକମାତ୍ର ଦାବି ଖରସ୍ରୋତା ନଦୀ ଉପରେ ସ୍ଥାୟୀ ସେତୁ ନିର୍ମାଣ କରାଯାଉ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଚଳିତ ବନ୍ୟା ସମୟରେ ନଦୀରେ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କୁ କୁମ୍ଭୀର ଝାମ୍ପି ନେଇଥିଲା। ଏହା ପୂର୍ବରୁ ମଧ୍ୟ କୁମ୍ଭୀର ଆକ୍ରମଣରେ ଜୀବନହାନି ଘଟିଛି। ଗାଁରୁ ବାହାରକୁ ଯିବା ପାଇଁ ଡଙ୍ଗା କିମ୍ବା ଡୁଙ୍ଗି ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ପ୍ରତିଦିନ ଲୋକଙ୍କ ଜୀବନ ବିପଦରେ ପଡ଼ୁଛି।

ହସ୍ପିଟାଲ, ବଜାର, ହାଟ, ପିଲାମାନଙ୍କ ପାଠପଢ଼ା ଓ ଅନ୍ୟାନ୍ୟ ଜରୁରୀ କାମ ପାଇଁ ରାଜକନିକା ସଦରକୁ ଯିବାକୁ ହେଲେ ନଦୀ ପାର ହେବାକୁ ପଡ଼ୁଛି। ନଦୀରେ କୁମ୍ଭୀର ଭୟ ଥିବାରୁ ଗ୍ରାମବାସୀ ପ୍ରତିଦିନ ଭୟ ଓ ଆଶଙ୍କା ମଧ୍ୟରେ ଜୀବନଯାପନ କରୁଥିବା କହିଛନ୍ତି।

ଗ୍ରାମବାସୀଙ୍କ ଆହୁରି ଅଭିଯୋଗ ଯେ, ସରକାର ବଦଳୁଛି, ନେତା ବଦଳୁଛନ୍ତି, କିନ୍ତୁ ଗାଁର ସମସ୍ୟା ବଦଳୁନାହିଁ। ର୍ନିବାଚନ ସମୟରେ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ନିର୍ବାଚନ ପରେ ସେତୁ ନିର୍ମାଣ ଦାବି ଅବହେଳିତ ହୋଇଆସୁଛି। ଫଳରେ ଖରସ୍ରୋତା ନଦୀ ଉପରେ ସେତୁ ଦେଇ ଯାତାୟାତ କରିବା ଗ୍ରାମବାସୀଙ୍କ ପାଇଁ ଦିବାସ୍ବପ୍ନ ପାଲଟିଛି।

ଅନ୍ୟପଟେ ଗାଁର ଚତୁଃପାର୍ଶ୍ୱରେ ନଦୀ ଘେରି ରହିଥିବା ବେଳେ ପ୍ରାୟ ୫୦୦ ଏକର ଚାଷଜମି ନଦୀର ଅତଡ଼ା ଖାଇ ଧୀରେ ଧୀରେ ନଦୀଗର୍ଭକୁ ଲୀନ ହେବାକୁ ବସିଛି। ଏନେଇ ନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ବାରମ୍ବାର ଗୁହାରି କରି ଥକିପଡ଼ିବା ପରେ ଗ୍ରାମବାସୀ ଶେଷରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି।

‘ସେତୁ ନିର୍ମାଣ କର, ଆମକୁ କୁମ୍ଭୀର କବଳରୁ ମୁକ୍ତ କର’ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ସେତୁ ନଥିବାରୁ ଗାଁକୁ ଝିଅବାହା ଦେବାକୁ ମଧ୍ୟ ଲୋକେ ଅନିଚ୍ଛା ପ୍ରକାଶ କରୁଥିବା ନେଇ ଗ୍ରାମବାସୀ ଦୁଃଖ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ ମସିହାରେ ତତ୍କାଳୀନ ବିଧାୟକଙ୍କ ପକ୍ଷରୁ ସେତୁ ନିର୍ମାଣ ପାଇଁ ସର୍ଭେ କରାଯାଇଥିଲେ ମଧ୍ୟ ତାହା ଏଯାବତ୍ ନାଲିଫିତା ତଳେ ଚାପି ହୋଇ ରହିଛି। ସେହିପରି ୨୦୨୪-୨୫ ମସିହାରେ ପ୍ରପୋଜାଲ ଆପ୍ରୁଭାଲ ହୋଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ସରକାରୀସ୍ତରରେ ତତ୍ପରତା ପ୍ରକାଶ ନପାଇବାରୁ ସେତୁ ନିର୍ମାଣ ଅନିଶ୍ଚିତତାରେ ରହିଛି ବୋଲି ଗ୍ରାମବାସୀ କହିଛନ୍ତି।

‘ମୁଖ୍ୟମନ୍ତ୍ରୀ ଆମ ଗୁହାରି ଶୁଣି ସେତୁ ନିର୍ମାଣର ବ୍ୟବସ୍ଥା କଲେ ଆମ ଗାଁର ଲୋକଙ୍କ ଜୀବନ ବଞ୍ଚିବ’ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।

ତେବେ ଘଟଣାର ଗୁରୁତ୍ୱକୁ ହୃଦୟଙ୍ଗମ କରି କେନ୍ଦ୍ରାପଡ଼ା ଉପଜିଲାପାଳ ଅରୁଣ କୁମାର ନାୟକ ଅନଶନସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ତାଙ୍କ ସହ କନିକା ତହସିଲଦାର ଭାନୁମତି ମାଝୀ ଓ ଅତିରିକ୍ତ ତହସିଲଦାର ଅଙ୍କିତା କାଣ୍ଡି ମଧ୍ୟ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଅନଶନସ୍ଥଳରେ ବିଭିନ୍ନ ଦଳର ନେତା ଓ କର୍ମୀମାନେ ପହଞ୍ଚିବା ସହ ଘଟଣାକୁ ନେଇ ରାଜନୈତିକ ତତ୍ପରତା ଆରମ୍ଭ ହୋଇଥିବା ଦେଖାଯାଇଛି।

 

Dharitri – Odisha’s No.1 Odia Daily

 

Share