ଭୋଟ ଦେଲେନାହିଁ ଗ୍ରାମବାସୀ

ଭବାନୀପାଟଣା,୧୯।୨(ସ୍ବ.ପ୍ର.)କଳାହାଣ୍ଡି ଜିଲା ନର୍ଲା ନିର୍ବାଚନମଣ୍ଡଳୀରେ ୨ୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ଶେଷ ହୋଇଛି। ଏହି ନିର୍ବାଚନମଣ୍ଡଳୀରେ ନର୍ଲା ବ୍ଲକ ସମେତ ମ. ରାମପୁର ଓ କର୍ଲାମୁଣ୍ଡା ବ୍ଲକ ରହିଛି। ମ .ରାମପୁର ବ୍ଲକ ଅନ୍ତର୍ଗତ ଦେଢଶୂଳୀ ପଞ୍ଚାୟତ ସିନ୍ଧିଗୁ ଓ ସିରେଲପଦର ଗ୍ରାମବାସୀ ଗତଥର ଭଳି ଏଥର ମଧ୍ୟ ଭୋଟ ବର୍ଜନ କରିଛନ୍ତି।

ଗତ ପଞ୍ଚାୟତ ନିର୍ବାଚନରେ ମାଣିକେରା ପଞ୍ଚାୟତରୁ ଅଲଗା ହେଇ ନୂତନ ପଞ୍ଚାୟତ ଦେଢଶୂଳୀରେ ମିଶିଛି ଏହି ୨ଟି ରାଜସ୍ବ ଗ୍ରାମ। ସିନ୍ଧିଗୁ ୧୯ ପରିବାରରେ ୪୬ ଭୋଟର ଥିବା ବେଳେ ସିରେଲପଦରରେ ରହିଛନ୍ତି ୭ ପରିବାରର ୨୨ ଭୋଟର। ଏହି ୨ ଗାଁର ଲୋକଙ୍କୁ ପଞ୍ଚାୟତ ମୁଖ୍ୟାଳୟକୁ ଦୂରତା ୨୫ କି.ମି. (ମୋହନଗିରି ଦେଇ) ଓ ମାଣିକେରା ଦେଇ ଗଲେ ୧୮ କି.ମି. ପଡ଼େ। ଉଭୟ ପଟେ ରାସ୍ତା ପାହାଡ଼ ହୋଇଥିବାବେଳେ ଜଙ୍ଗଲ ସହିତ ନାଳ ବି ରହିଛି। ପୂର୍ବରୁ ଥିବା ମାଣିକେରା ପଞ୍ଚାୟତ ଏହି ୨ ଗାଁରୁ ମାତ୍ର ୨ କି.ମି. ଦୂରତା। ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏହି ୨ ଗ୍ରାମବାସୀ ଭୋଟବର୍ଜନ ନିଷ୍ପତ୍ତି ସହିତ ମାଣିକେରାରେ ମିଶାଇବାକୁ ଦାବି କରିଥିଲେ। ଏଥର ମଧ୍ୟ ସେହି ସମାନ ଦାବି ରଖିଛନ୍ତି ଗ୍ରାମବାସୀ। ଏ ନେଇ ଗତ କିଛିମାସ ତଳେ ୨ ଗ୍ରାମବାସୀ ଦାବିପତ୍ର ମ.ରାମପୁର ତହସିଲଦାର, ବିଡିଓ, କଳାହାଣ୍ଡି ଜିଲାପାଳ ଓ ନିର୍ବାଚନ କମିଶନଙ୍କୁ ଜଣାଇଥିଲେ। ଏଥିସହିତ ଯେତେ ଦିନ ଯାଏଁ ଏହି ୨ ଗ୍ରାମବାସୀଙ୍କୁ ମାଣିକେରା ପଞ୍ଚାୟତରେ ସାମିଲ କରା ନ ଯାଇଛି ସେତେଦିନ ଯାଏଁ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ କହିଛନ୍ତି।