ହାତୀ ଆକ୍ରମଣରେ ଯୁବକ ମୃତ ଘଟଣାରେ ଶବ ଛାଡିଲେନି ଗ୍ରାମବାସୀ, ପ୍ରଶାସନିକ ପ୍ରତିଶ୍ରୁତି ପରେ…

ରିଆମାଳ ୧୧।୬(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ କୁଣ୍ଢେଇଗୋଳା ସେକସନ ଚଢ଼େଇମରା ଗ୍ରାମ ପଞ୍ଚାୟତର ସଙ୍ଗାପଶି ଗ୍ରାମରେ ବୁଧବାର ହାତୀ ଆକ୍ରମଣରେ ସୁଶାନ୍ତ ନାୟକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ହାତୀ ପାଇଁ ବାରମ୍ବାର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଓ ପ୍ରଶାସନିକସ୍ତରରୁ କୌଣସି ପଦକ୍ଷେପ ନେଉ ନ ଥିବାରୁ ଗୁରୁବାର ସଙ୍ଗାପଶି ଗ୍ରାମବାସୀ ସୁଶାନ୍ତଙ୍କ ମୃତ ଶରୀର ବ୍ୟବଚ୍ଛେଦ ପାଇଁ ନ ଛାଡ଼ି ଆନ୍ଦୋଳନରେ ବସିଥିଲେ ଲୋକେ । ଏଭଳି ପରିସ୍ଥିତିରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା । ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶାଳ ଓ ରିଆମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ମଧ୍ୟ ଗ୍ରାମବାସୀଙ୍କ ସହିତ ଯୋଗ ଦେଇ ମୃତକ ପରିବାରଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ସଙ୍ଗେସଙ୍ଗେ ହାତୀ ଘଉଡାଇବା ପାଇଁ ଏଲିଫ୍ୟାଣ୍ଟ ସ୍କୱାର୍ଡ ମୁତୟନ କରିବାକୁ ଅଡି ବସିଥିଲେ। ତେଣୁ ଏଡିଏମ ରେବେକା ବିଲୁଙ୍ଗ, ଉପଜିଲାପାଳ ପରକ୍ଷିତ ସାହୁ, ଏସଡିପିଓ ରମେଶ ମାହାନା, ଏସିଏଫ ସାଧୀନତା ସାହାଣୀ, କୁଣ୍ଢେଇଗୋଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ମୃତକ ପରିବାରକୁ ସରକାରୀ ସହାୟତା ତଥା ଅନ୍ୟ ସବୁ ଦାବି ପୂର୍ଣ୍ଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ତା’ ପରେ ଗ୍ରାମବାସୀ ସୁଶାନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ରାଜି ହୋଇ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।

Odisha’s No.1 Odia Daily

Share