୮ ପୋଲିସଙ୍କୁ ଅଟକ ରଖିଲେ ଗ୍ରାମବାସୀ

ନିମାପଡ଼ା,୨୫।୨(ଡି.ଏନ୍‌.ଏ.): ନିମାପଡ଼ା ଥାନା ଅନ୍ତର୍ଗତ ବଡ଼ଶିରିବିଳା ପଞ୍ଚାୟତର ବଡ଼ଶିରିବିଳା ଗ୍ରାମରେ ଅଷ୍ଟପ୍ରହର ଚାଲୁଥିଲା। ଏଥିପାଇଁ ଉକ୍ତ ଗ୍ରାମର କେତେଜଣ ଶୁକ୍ରବାର କୋଠ ଜାଗାରୁ ପୋଲିସ ଉପସ୍ଥିତିରେ ଏକ ଗଛରୁ ନଡ଼ିଆ ତୋଳୁଥିଲେ। ହେଲେ ନଡ଼ିଆ ତୋଳି ଭଗବାନସୁନ୍ଦରା ଗ୍ରାମ ରାସ୍ତା ଦେଇ ଫେରୁଥିବା ବେଳେ ୨ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। କାରଣ କୋଠ ଜାଗାଟି ଭଗବାନସୁନ୍ଦରା ଗ୍ରାମ ସହ ଲାଗିଥିବା ବେଳେ ପୁଣି ପୋଲିସ ଉପସ୍ଥିତିରେ ନଡ଼ିଆ ତୋଳାଯାଇଥିବାରୁ ଭଗବାନସୁନ୍ଦରା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଭଗବାନସୁନ୍ଦରା ଗ୍ରାମବାସୀଙ୍କୁ ନ ପଚାରି ନଡ଼ିଆ ତୋଳାରେ ପୋଲିସ ସହାୟତାକୁ ଦାୟୀ କରି ପୋଲିସ କର୍ମଚାରୀଙ୍କୁ ଗ୍ରାମବାସୀ ଗାଳିଗୁଲଜ କରିଥିଲେ। ଏପରିକି ଗ୍ରାମର ବହୁ ମହିଳାଙ୍କ ସମେତ ଶତାଧିକ ଲୋକ ଉତ୍ତ୍ୟକ୍ତ ହୋଇ ଗ୍ରାମଦାଣ୍ଡରେ ପୋଲିସ ଗାଡ଼ି ସହ ଜଣେ ପୋଲିସ ଏସ୍‌ଆଇ, ଜଣେ ଏଏସ୍‌ଆଇ, ୨ ହାବିଲଦାର, ଜଣେ କନଷ୍ଟେବଲ୍‌ ସମେତ ମୋଟ ୮ ପୋଲିସ କର୍ମଚାରୀଙ୍କୁ ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ। ଉତ୍ତେଜନା ପରିସ୍ଥିତିକୁ ଦେଖି ଅଟକ ଥିବା ପୋଲିସ କର୍ମଚାରୀମାନେ କେବଳ ନୀରବଦ୍ରଷ୍ଟା ସାଜିଥିଲେ। ଅନ୍ୟପଟେ ଅଟକ ସମୟ ମଧ୍ୟରେ ପୋଲିସର କୌଣସି ଉଚ୍ଚପଦସ୍ଥ ଅଧିକାରୀ ତତ୍‌କ୍ଷଣାତ ନ ଆସି ପ୍ରାୟ ୧୦ ଘଣ୍ଟା ପରେ ଆସିଥିଲେ। ଖବରପାଇ ସନ୍ଧ୍ୟାବେଳେ ଏସ୍‌ଡିପିଓ ଦେବାଶିଷ ମିଶ୍ର, ଆଇଆଇସି ଶଙ୍କର୍ଷଣ ଦଳେଇ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରି ଅଟକ ପୋଲିସଙ୍କୁ ଉଦ୍ଧାର କରିବା ସହ ଘଟଣାର ସମାଧାନ ପାଇଁ ଉଦ୍ୟମ ଚଳାଇଛନ୍ତି। ରିପୋର୍ଟ ଲେଖାଯିବା ମଧ୍ୟରେ ପୋଲିସ ଅଧିକାରୀମାନେ ୨ଗ୍ରାମର ମୁରବୀ ଲୋକଙ୍କୁ ଡକାଇ ଆଲୋଚନା ଜାରି ରହିଛି। ଉଲ୍ଲେଖଯୋଗ୍ୟ, ଏକ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣକୁ କେନ୍ଦ୍ର କରି ଉଭୟ ବଡ଼ଶିରିବିଳା ଓ ଭଗବାନସୁନ୍ଦରା ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିବାଦ ଲାଗି ରହିଛି। ଏହି ବିବାଦକୁ ନେଇ ଶୁକ୍ରବାର ପୁଣି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଗ୍ରାମର କେତେଜଣ ମତ ରଖିଛନ୍ତି।