କେସିଙ୍ଗା,୨୭।୬( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ରତନପଡ଼ାସ୍ଥିତ ଦୁର୍ଗା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC) ଆର୍ଥିକ ବର୍ଷ ୨୦୨୩-୨୦୨୪ ମସିହାରେ ୩ ଲକ୍ଷ ଅର୍ଥ ମଞ୍ଜୁରୀ ହୋଇଥିଲା। ଗୋଷ୍ଠୀ କେନ୍ଦ୍ର ନିର୍ମାଣରେ ଅନିୟମିତତା ହୋଇଥିବା ନେଇ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇଥିବା ବେଳେ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ଆକାରକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ସୂଚନା ଅନୁଯାୟୀ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA), ଥୁଆମୂଳ ରାମପୁର,ଭବାନୀପାଟଣା ତରଫରୁ ଏହି ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯାଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ୩ ଲକ୍ଷ ଟଙ୍କା ବ୍ୟୟ ଦର୍ଶାଯାଇଥିଲେ ମଧ୍ୟ ନିର୍ମିତ ଗୃହଟିର ଆକାର ଅତ୍ୟନ୍ତ ଛୋଟ। ଏହା ସାଧାରଣ ଆବାସ ଯୋଜନାରେ ନିର୍ମିତ ଘରଠାରୁ ମଧ୍ୟ ଛୋଟ ବୋଲି ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ, ସରକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୧.୩୦ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି କୋଠରୀ ଓ ବାରଣ୍ଡା ସହିତ ଘର ନିର୍ମାଣ ହେଉଥିବାବେଳେ, ଏହି ଗୋଷ୍ଠୀ କେନ୍ଦ୍ର ଗୃହର ନିର୍ମାଣ ଖର୍ଚ୍ଚ ଓ ବାସ୍ତବ କାର୍ଯ୍ୟ ମଧ୍ୟରେ ବହୁତ ତଫାତ ରହିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଏହି ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ପ୍ରାୟ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରି ବାକି ଦୁଇ ଲକ୍ଷ ଟଙ୍କାର ମିଥ୍ୟା ବିଲ ଭାଉଚର କରି ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ,ଠିକାଦାର ଆତ୍ମାସାତ କରିଥିବାରୁ ଗ୍ରାମବାସୀମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରି ଥିବାର ଜଣାପଡିଛି।
ଏହି ପ୍ରକଳ୍ପରେ ସମ୍ପୃକ୍ତ ଅଧିକାରୀ, କାର୍ଯ୍ୟନିର୍ବାହୀ ସଂସ୍ଥା ଓ ସ୍ଥାନୀୟ ସ୍ତରର କର୍ମଚାରୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସମ୍ଭାବ୍ୟ ଅନିୟମିତତାର ସତ୍ୟାସତ୍ୟ ଜାଣିବା ପାଇଁ ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି କନ୍ତେଶିର ଗ୍ରାମବାସୀମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ସ୍ବାଇଁ ବାବୁଙ୍କୁ ପଚାରିବାରୁ ନିର୍ମାଣ ଶେଷରେ କାହିଁକି ଅଭିଯୋଗ ହେଉଛି, ଗୋଷ୍ଠୀ କେନ୍ଦ୍ର ନିର୍ମାଣ ସମୟରେ କରିବାର କଥା ବୋଲି କଥାକୁ ଏଡେଇ ଦେଇଥିଲେ। ଜିଲାପାଳ ଏହାର ନିରପେକ୍ଷ ତଦନ୍ତ ହେଲେ ପ୍ରକୃତ ସ୍ଥିତି ସାମ୍ନାକୁ ଆସିପାରିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।