ରାସ୍ତା ନିର୍ମାଣ ଦାବିରେ ଧାନତଳି ରୋଇ ପ୍ରତିବାଦ

କୋକସରା,୨୧।୮(ଡି.ଏନ୍‌.ଏ.): ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଆଣ୍ଠୁଏ କାଦୁଅ। ରାସ୍ତା ନିର୍ମାଣ ନେଇ ୫ ବର୍ଷ ହେଲା ପ୍ରତିଶ୍ରୁତି ମିଳୁଛି। ହେଲେ ତାହା ପୂରଣ ହେଉନାହିଁ। ଫଳରେ ବର୍ଷାଦିନେ କାଦୁଅ ପଚପଚରେ ଯାତାୟାତ କରୁଛନ୍ତି ଗ୍ରାମବାସୀ। ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ମହିମା ଗ୍ରାମରୁ। ରାସ୍ତା ନିର୍ମାଣ ଲାଗି ଗ୍ରାମବାସୀ ଦୀର୍ଘଦିନ ହେଲା ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ଆସୁଛନ୍ତି। ଏଭଳି ସ୍ଥିତିରେ ପ୍ରତିବର୍ଷ ରାସ୍ତା ମରାମତି ନାଁରେ ବିଭିନ୍ନ ଅନୁଦାନରୁ ମାଟି ମୋରମ ପକାଇ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୮ ଅଗଷ୍ଟ ୧୮ରେ ମହିମା ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ କୋକସରା ବ୍ଲକ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ। ସେତିକିବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଘଟଣାର ୫ ବର୍ଷ ପରେ ମଧ୍ୟ ଗାଁ ରାସ୍ତା ବଦଳିପାରି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ରବିବାର ମହିମା ଗ୍ରାମବାସୀ ଟେମରା-ମହିମାକୁ ସଂଯୋଗ କରୁଥିବା ରାସ୍ତାରେ ହଳ କରି କାଦୁଅରେ ଧାନତଳି ରୋଇ ପ୍ରତିବାଦ କରିଛନ୍ତି। ଏଥିରେ ଗ୍ରାମର ଶତାଧିକ ମହିଳା ପୁରୁଷ ଓ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ। ଆଗାମୀ ଦିନରେ ରାସ୍ତା ନିର୍ମାଣ ନ ହେଲେ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।