ଗ୍ରାମ୍ୟ ସଭାପତିଙ୍କୁ ପିଟି ପିଟି ମାରିଦେଲେ

ଗଞ୍ଜାମ,୨୬ା୧୧(ଡି.ଏନ.ଏ.): ପୂର୍ବ ଶତ୍ରୁତାରୁ ଗଞ୍ଜାମ ଜିଲା ରମ୍ଭା ଥାନା ପୋଇରାଶି ପଞ୍ଚାୟତର କଣ୍ଟିଆପଲ୍ଲୀ ଗ୍ରାମ୍ୟ ସଭାପତି କେ.ଗୋବିନ୍ଦ ରେଡ୍ଡୀଙ୍କୁ ଶୁକ୍ରବାର ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ଏ ନେଇ ପୋଲିସ ଏକ ହତ୍ୟା ମାମଲା(ନଂ.୫୪୮/୨୧) ରୁଜୁ କରି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

କେ.ଗୋବିନ୍ଦ ପ୍ରତିଦିନ ପରି ଶୁକ୍ରବାର ଭୋରରେ ଗ୍ରାମଠାରୁ ଏକ କିଲୋମିଟର ଦୂର ଛୋଟାବସା ଛକକୁ ଚା’ ପିଇବାକୁ ସାଇକେଲରେ ଯାଉଥିଲେ। ଏହି ସମୟରେ ରାସ୍ତାରେ ଠେଙ୍ଗା ଧରି ଛକି ରହିଥିବା ଗ୍ରାମର କିଛି ସମ୍ପର୍କୀୟ ଭାଇ ତାଙ୍କୁ ପଛପଟୁ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ଗୋବିନ୍ଦ ରାସ୍ତା ପାର୍ଶ୍ୱରେ ଟଳି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୁଷୋତ୍ତମପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ। ବ୍ରହ୍ମପୁର ମେଡିକାଲରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ ପରେ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଖବର ପାଇ ଆଡିଶ୍‌ନାଲ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ଏସ୍‌ଡିପିଓ ଗୌତମ କିଷାନ, ରମ୍ଭା ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରା ଓ ସାଇଣ୍ଟିଫିକ ଟିମ ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି।