ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ ଆସିଥିବା ଥ୍ରି-ଫେଜ୍ ତାରରେ ଶର୍ଟ ସର୍କିଟ ହୋଇ ତାହା ପୋଡ଼ି ଛିଣ୍ଡି ପଡ଼ିଛି। ଫଳରେ ଗାଁରେ ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ବିଦ୍ୟୁତ୍ ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ଟୋଲ୍ ଫ୍ରି ନମ୍ବରରେ ଅଭିଯୋଗ କରିଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ। ବିଭାଗୀୟ ଅଧିକାରୀ ଗାଁକୁ ଆସି ହିତାଧିକାରୀମାନେ ବକେୟା ବିଦ୍ୟୁତ୍ ବିଲ୍ ଜମାକଲେ ତାର ସଜଡ଼ାଯିବ ବୋଲି କହିଥିବା ଅଭିଯୋଗ ହୋଇଛି।
ଏନେଇ ହିତାଧିକାରୀମାନେ ନିଜ ସାମର୍ଥ୍ୟ ଅନୁଯାୟୀ କିଛି କିଛି ଟଙ୍କା ଜମା କରିବାକୁ ରାଜି ହୋଇଛନ୍ତି। ତେବେ ବିଦ୍ୟୁତ୍ ବିଲ୍ ବକେୟା ରଖି ନ ଥିବା ପରିବାରଗୁଡ଼ିକ ମଧ୍ୟ ବିଦ୍ୟୁତ୍ ବିଚ୍ଛିନ୍ନ ଯୋଗୁ ନାନା ଅସୁବିଧା ଭୋଗୁଛନ୍ତି। ତୁରନ୍ତ ତାର ମରାମତିକରି ବିଦ୍ୟୁତ୍ ସେବା ସ୍ବାଭାବିକ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।