ଟ୍ରକ୍‌ ଧକ୍କାରେ ଚାଲିଗଲା ଗ୍ରାମରକ୍ଷୀଙ୍କ ଜୀବନ

ଦେବଗଡ଼,୨୬।୨(ଡି.ଏନ୍‌.ଏ.): ଦେବଗଡ଼ ଥାନା ବଳମ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରକ ଧକ୍କାରେ ଜଣେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ଗ୍ରାମରକ୍ଷୀ ଭାବେ କାର୍ଯ୍ୟରତ ବସାଲଇ ଗ୍ରାମର ଭୁବନେଶ୍ୱର କଲେତ ରବିବାର ଅପରାହ୍ନରେ ବଳମ ଗ୍ରାମରୁ ଏକ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ହେଲେ ବଳମ ସ୍ଥିତ ମା’ ତାରିଣୀ ପେଟ୍ରୋଲ ପମ୍ପ ନିକଟରେ ଏକ ମାଲବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା। ଫଳରେ ବାଇକ୍‌ଟି ଚୁର୍‌ମାର୍‌ ହୋଇପଡିବା ସହ ଘଟଣାସ୍ଥଳରେ ଭୁବନେଶ୍ୱରଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ କରିଥିଲେ। ଖବର ପାଇ ଦେବଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲା। ଏଥିସହ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକ୍‌କୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।