ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ ଘରବାରି ପଟ୍ଟା ପ୍ରଦାନ କରାଯାଇଛି।
ଏହି କ୍ରମରେ ଡଙ୍ଗରଗମ୍ଭାରୀ ଗ୍ରାମର ୧୧ ଜଣ ହିତାଧିକାରୀଙ୍କୁ ଘରବାରି ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ହାଲାମ ଗ୍ରାମର ୨୩ ଜଣ, କେରେଡ଼ା ଗ୍ରାମର ୧୭ ଜଣ ଏବଂ କତିଲି ଗ୍ରାମର ୫୮ ଜଣ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଛି।
ଘରବାରି ପଟ୍ଟା ପ୍ରଦାନ ନିମନ୍ତେ ପୂର୍ବରୁ ବିଭାଗ ପକ୍ଷରୁ ସର୍ଭେ କରାଯାଇଥିଲା। ସରକାରଙ୍କ ଓଜିଏଲସି ଏବଂ ଜିପିଏଲସି ଯୋଜନାରେ ସମସ୍ତ ଘରବାରି ପଟ୍ଟା ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
ଢେପାଗୁଡ଼ା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଡଙ୍ଗରଗମ୍ଭାରୀ ଗ୍ରାମର ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ୩ଟି ଗ୍ରାମର ହିତାଧିକାରୀଙ୍କ ନିକଟକୁ ଯାଇ ପଟ୍ଟା ବଣ୍ଟନ କରାଯାଇଥିଲା।
ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ସୁନୀଲ ଶବର, ତହସିଲ ସୁପରଭାଇଜର ମନୋଜ ଶବର, ଢେପାଗୁଡ଼ା ରାଜସ୍ୱ ନିରୀକ୍ଷକ ବିଶ୍ୱନାଥ ସନ୍ତୋଷ କୁମାର, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଶଶୀକୁମାର ବେହେରା, ଅମିନ ରାମଲତା ମଣ୍ଡାଙ୍ଗି ଏବଂ ତହସିଲ କାର୍ଯ୍ୟାଳୟର କର୍ମଚାରୀ ମାନସ ଶବର ପ୍ରମୁଖ ଉପସ୍ଥିତ ରହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ।
ଘରବାରି ପଟ୍ଟା ଅଭାବରୁ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ଥିବା ହିତାଧିକାରୀମାନେ ପଟ୍ଟା ପାଇବା ପରେ ତହସିଲଦାର ଓ କର୍ମଚାରୀମାନଙ୍କୁ ପ୍ରଶଂସା କରିଥିଲେ।