ପାଟଣା,୨୮ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ରବିବାର ପୂର୍ବାହ୍ନରେ ଯମୁନା ପଶି ପଞ୍ଚାୟତ ବରୁ ଗ୍ରାମର ସ୍କୁଲ ପଡ଼ିଆରେ ଦଶମ ଗ୍ରାମସଭା ଅନୁଷ୍ଠିତ ହୋଇଛି।
ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଗ୍ରାମର ୨୧୯.୮୦ ଏକର ଘରୋଇ ଜମି ଅଧିଗ୍ରହଣ ପ୍ରସ୍ତାବ ଉପରେ ଆୟୋଜିତ ଗ୍ରାମସଭାରେ ଜନସାଧାରଣଙ୍କଠାରୁ ମତାମତ ଗ୍ରହଣ କରାଯାଇଥିଲା। ଆୟୋଜିତ ଗ୍ରାମସଭା ଯମୁନାପଶି ସରପଞ୍ଚ ଶଶୀଭୂଷଣ ନାଏକଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲାପାଳ ତଥା ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ପାଟଣା ବିଡିଓ ମାନସ ରଞ୍ଜନ ଦଣ୍ଡପାଟ, ତହସିଲଦାର ଅଶ୍ବିନୀ କୁମାର ନାଏକ, ଇଡ୍କୋର ଜମି ଅଧିଗ୍ରହଣ ଅଧିକାରୀ ଜୟକିଶୋର ପାତ୍ର ପ୍ରମୁଖ ଉପସ୍ଥିତ ରହି ଲୋକଙ୍କଠାରୁ ମତାମତ ଗ୍ରହଣ କରିଥିଲେ।
ଗ୍ରାମବାସୀଙ୍କ ପକ୍ଷରୁ କ୍ଷତିପୂରଣ ବାବଦରେ ଏକର ପ୍ରତି ୨୦ କୋଟି ଟଙ୍କା ଦାବି କାରାଯିବା ସହ ୪୪ ସର୍ତ୍ତ ସମ୍ବଳିତ ଦାବିପତ୍ର ପ୍ରଶାସନ ନିକଟରେ ଉପସ୍ଥାପନ କରାଯାଇଥିଲା। ଗ୍ରାମର ପାରିପାଶର୍ବିକ ଉନ୍ନତି ସହ ପାନୀୟ ଜଳ ସମସ୍ୟା ଶିକ୍ଷା ସ୍ବାସ୍ଥ୍ୟ, ଗମନାଗମନ, ନିଯୁକ୍ତି ଆଦି ଦାବି କରିଥିଲେ। ଦାବି ପୂରଣ ନ ହେଲେ ରକ୍ତ ଦେବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ ବୋଲି ପ୍ରଶାସନ ନିକଟରେ ଚରମ ବାଣୀ ଶୁଣାଇଥିଲେ। ଶାନ୍ତିଶୃଙ୍ଖଳା ପାଇଁ ଅତିରିକ୍ତ ଏସ୍ପି ସ୍ନେହାଶିଷ ସାହୁ, ପ୍ରବାଧାନ, ଚମ୍ପୁଆ ଏସ୍ଡିପିଓ ରଶ୍ମିରଞ୍ଜନ ସାହୁ, ପ୍ରଶାନ୍ତ କୁମାର ବେହେରା, ବିଜୟ କୁମାର ବିହାରୀ, ଜୟଦୀପ ମହାନ୍ତି ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତିରଞ୍ଜନ ସାହୁ, ବଡ଼ବିଲ ଥାନା ଅଧିକାରୀ ଅଶୋକ ନାଏକ, ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ, ବାମେବାରୀ ଥାନା ଅଧିକାରୀ ଯଶକେତନ ଭୋଇ, ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।