ଚେନ୍ନାଇ,୧୦ା୫: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ଗ୍ରହଣ କରିଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ବିଜୟ। ସେ ମୁଖ୍ୟମନ୍ତ୍ରୀ ହେଉହେଉ ଏକ ବଡ଼ ଘୋଷଣା କରିଛନ୍ତି। ଥାଲାପତି ତାଙ୍କର ପ୍ରଥମ ଭାଷଣରେ ରାଜ୍ୟର ରାଜନୀତି ଏବଂ ପ୍ରଶାସନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ନିଜକୁ ଜଣେ ‘ସାଧାରଣ ଲୋକ’ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି, କ୍ଷମତାର ଅପବ୍ୟବହାର କରାଯିବ ନାହିଁ ଏବଂ ଜନସାଧାରଣଙ୍କ ପ୍ରତ୍ୟେକ ପଇସାର ହିସାବ ଦିଆଯିବ। ସେ ଅନେକ ବଡ଼ ନିଷ୍ପତ୍ତି ଏବଂ ନୀତି ମଧ୍ୟ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି, ସେ କୌଣସି ରାଜକୀୟ ବଂଶରୁ ଆସି ନାହାନ୍ତି, କିନ୍ତୁ ଜନସାଧାରଣ ତାଙ୍କୁ ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ନେତୃତ୍ୱ ନେବାର ସୁଯୋଗ ଦେଇଛନ୍ତି। ସେ ଭାବପ୍ରବଣ ହୋଇ କହିଛନ୍ତି, ପ୍ରତ୍ୟେକ ସଂଘର୍ଷରେ ଲୋକମାନେ ତାଙ୍କୁ ସମର୍ଥନ କରିଛନ୍ତି ଏବଂ ଆଜି ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି।
ସେ ଜନସାଧାରଣଙ୍କ ଟଙ୍କାରୁ ଗୋଟିଏ ବି ଟଙ୍କା ଛୁଇଁବେ ନାହିଁ ଏବଂ ସରକାରଙ୍କ କୌଣସି ସ୍ତରରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ। ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ସରକାର କେବଳ ଲୋକଙ୍କ ପାଇଁ କାମ କରିବ। ପୂର୍ବ ସରକାର ରାଜ୍ୟକୁ ବିପୁଳ ଋଣରେ ବୁଡ଼ାଇ ଦେଇଥିବା ଅଭିଯୋଗ କରି ବିଜୟ କହିଛନ୍ତି ଯେ, ତାମିଲନାଡୁର ୧୦ ଲକ୍ଷ କୋଟି ଋଣ ଉପରେ ଏକ ଶ୍ୱେତପତ୍ର ପ୍ରକାଶ କରାଯିବ, ଯେଉଁଥିରେ ସମ୍ପୂର୍ଣ୍ଣ ଆର୍ଥିକ ସ୍ଥିତି ପ୍ରକାଶ କରାଯିବ।
ମୁଖ୍ୟମନ୍ତ୍ରୀ ଘରୋଇ ଗ୍ରାହକଙ୍କ ପାଇଁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଜନା ପାଇଁ ଫାଇଲ ସ୍ବାକ୍ଷର କରିଛନ୍ତି। ସେ ମହିଳାମାନଙ୍କୁ ସୁରକ୍ଷା ଦେବା ଏବଂ ନିଶାଦ୍ରବ୍ୟ ଅପବ୍ୟବହାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

