Categories: ଖେଳ

ବିଜୟ ହଜାରେ ଟ୍ରଫି: ଓଡ଼ିଶାର କ୍ରମାଗତ ଦ୍ୱିତୀୟ ପରାଜୟ

ଭୁବନେଶ୍ୱର, ୨୩।୨(କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ବିଜୟ ହଜାରେ ଟ୍ରଫି ଏକଦିବସୀୟ ଘରୋଇ କ୍ରିକେଟ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୮ ଉଇକେଟରେ ରେଲଓ୍ବେଠାରୁ ହାରି ଯାଇଛି। ଓଡ଼ିଶା ପକ୍ଷରୁ ଧାର୍ଯ୍ୟ ୨୩୧ ରନର ବିଜୟ ଲକ୍ଷ୍ୟକୁ ରେଲଓ୍ବେ ୪୪.୩ ଓଭରରେ ୨ ଉଇକେଟ ହରାଇ ହାସଲ କରି ନେଇଥିଲା। ଚଳିତ ଟୁର୍ନାମେଣ୍ଟରେ ଓଡ଼ିଶା ଦଳର ଏହା କ୍ରମାଗତ ଦ୍ୱିତୀୟ ପରାଜୟ। ଦଳ ଏହାର ପ୍ରଥମ ମ୍ୟାଚରେ ଭିଜେଡି ନିୟମ ଅନୁସାରେ କେରଳଠାରୁ ହାରି ଯାଇଥିଲା।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଓଡ଼ିଶା ୪୯.୩ ଓଭରରେ ୨୩୦ ରନ କରି ସମସ୍ତ ଉଇକେଟ ହରାଇଥିଲା। ଦଳ ପକ୍ଷରୁ ଅଙ୍କିତ ଯାଦବ ସର୍ବାଧିକ ୪୮(୪୨ ବଲ, ୭ ଚୌକା) ଏବଂ ଅଧିନାୟକ ଶାନ୍ତନୁ ମହାପାତ୍ର ଓ ରାଜେଶ ଧୂପର ୩୬ ରନ ଲେଖାଏ ସ୍କୋର କରିଥିଲେ। ବିପକ୍ଷ ଦଳର ପ୍ରଦୀପ ଟି. ୩ଟି, ହିମାଂଶୁ ସଙ୍ଗଓ୍ବନ ଓ ଶିବମ ଚୌଧାରୀ ୨ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ରେଲଓ୍ବେ ୪୪.୩ ଓଭରରେ ମାତ୍ର ୨ ଉଇକେଟ ହରାଇ ୨୩୧ ରନ ସଂଗ୍ରହ କରି ନେଇଥିଲା। ଦୁଇ ଓପନର ମୃଣାଳ ଦେବଧର ଓ ପ୍ରଥମ ସିଂ ଯଥାକ୍ରମେ ୪୪ ଓ ୬୩ ରନ କରି ଆଉଟ ହୋଇଥିବାବେଳେ ଶିବମ ଚୌଧାରୀ ୮୧(୮୪ ବଲ, ୫ ଚୌକା, ୩ ଛକା) ଓ ଅରିନ୍ଦମ ଘୋଷ ୩୯(୪୯ ବଲ, ୪ ଚୌକା) ରନରେ ଅପରାଜିତ ରହି ଦଳକୁ ଜିତାଇଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ସୌରଭ କନୋଜା ଓ ଶାନ୍ତନୁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ୪୯.୩ ଓଭରରେ ୨୩୦/ଅଲଆଉଟ( ଅଙ୍କିତ-୪୮, ଶାନ୍ତନୁ-୩୬, ରାଜେଶ-୩୬, ପ୍ରଦୀପ-୩/୫୪, ହିମାଂଶୁ-୨/୩୪, ଶିବମ୍‌-୨/୧୮)। ରେଲଓ୍ବେ ୪୪.୩ ଓଭରରେ ୨୩୧/୨( ଶିବମ୍‌-୮୧*, ପ୍ରଥମ-୬୩, ମୃଣାଳ-୪୪, ଅରିନ୍ଦମ-୩୯*, କନୋଜା-୧/୪୮, ଶାନ୍ତନୁ-୧/୩୬)।

Share