ମୁମ୍ବାଇ: ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଏକ ଇଭେଣ୍ଟରେ ନିଜ ବ୍ୟକ୍ତିଗତ ଜୀବନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅନେକ କଥା କହିଛନ୍ତି। ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ଭାଇ ପ୍ରଣୟ ବାଙ୍ଗାଙ୍କ ଆଗାମୀ ଫିଲ୍ମ ‘ରୋମାଞ୍ଚକମ’ର ପ୍ରମୋସନ ଇଭେଣ୍ଟରେ ଯୋଗଦେଇଥିବା ବିଜୟ ନିଜ ଅତୀତର ପ୍ରେମ ସମ୍ପର୍କ ନେଇ ମଧ୍ୟ ଖୁଲାସା କରିଛନ୍ତି।
ଇଭେଣ୍ଟରେ ବିଜୟଙ୍କୁ ପଚରାଯାଇଥିଲା ଯେ ୨୦୨୬ରେ ରଶ୍ମିକା ମନ୍ଦାନାଙ୍କ ସହ ବିବାହ ବ୍ୟତୀତ ତାଙ୍କ ଜୀବନର ସବୁଠାରୁ ‘ରୋମାଞ୍ଚକ’ ମୁହୂର୍ତ୍ତ କ’ଣ ଥିଲା?
ଏହାର ଉତ୍ତରରେ ବିଜୟ କହିଥିଲେ ଯେ ଜନ୍ମ ହେବା ଦିନଠାରୁ ତାଙ୍କ ଜୀବନ ରୋମାଞ୍ଚରେ ଭରି ରହିଛି। ସେ ନିଜର ପୁରୁଣା ମଦ୍ୟପାନ ଅଭ୍ୟାସ ବିଷୟରେ ମଧ୍ୟ କହିଥିଲେ। ଅଭିନେତାଙ୍କ କହିବା ଅନୁସାରେ, ସେ ପୂର୍ବରୁ ବ୍ଲେଣ୍ଡର୍ସ ପ୍ରାଇଡ କିମ୍ବା ଗ୍ଲେନଫିଡିକ ପିଉଥିଲେ। ତେବେ ଏବେ ସେ ମଦ୍ୟପାନ ଛାଡ଼ି ଦେଇଛନ୍ତି ବୋଲି କହିଛନ୍ତି। ଏହା ପଛର କାରଣ ସେ ସ୍ପଷ୍ଟ କରିନାହାନ୍ତି।
ବିଜୟ ନିଜ ପୁରୁଣା ପ୍ରେମ ସମ୍ପର୍କ ବିଷୟରେ ମଧ୍ୟ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ପ୍ରେମରେ ସେ ଥରେ ଯନ୍ତ୍ରଣା ଭୋଗିଛନ୍ତି ଏବଂ ତାଙ୍କ ହୃଦୟ ଭାଙ୍ଗିଥିଲା। ପରେ ତାଙ୍କ ବିବାହ ହୋଇଥିଲା। ତାଙ୍କ ଜୀବନ ଯାତ୍ରା ରୋମାଞ୍ଚରେ ଭରିଥିବା ବୋଲି ସେ କହିଛନ୍ତି।
ଏହି ସମୟରେ ବିଜୟ ରଶ୍ମିକା ମନ୍ଦାନାଙ୍କ ଆଘାତ ନେଇ ମଧ୍ୟ ସୂଚନା ଦେଇଛନ୍ତି। ସୁଟିଂ ସମୟରେ ରଶ୍ମିକାଙ୍କ ହିପ୍ରେ ଆଘାତ ଲାଗିଥିଲା। ବିଜୟ କହିଛନ୍ତି ଯେ ରଶ୍ମିକା ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଏବଂ ଘରେ ଆରାମରେ ସମୟ ବିତାଉଛନ୍ତି।