ଯୁକ୍ତ ୨ ବିଜ୍ଞାନରେ ବିଘ୍ନେଶ ଚୌଧୁରୀ ଛତ୍ରପୁର ବ୍ଲକ ଟପ୍ପର, ମିଷ୍ଟାନ ବାଣ୍ଟି ଖୁସି ଜାହିର କଲେ ବିଦ୍ୟାର୍ଥୀ

ଛତ୍ରପୁର, ୨୧।୫(ଦିଲ୍ଲୀପ ସାମଲ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ ) ଦ୍ୱାରା +୨ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ପ୍ରତିଭା ଆବାସିକ ମହାବିଦ୍ୟାଳୟର ବିଦ୍ୟାର୍ଥୀମାନେ ଯୁକ୍ତ ୨ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ଚଳିତ ବର୍ଷ ଯୁକ୍ତ-୨ବିଜ୍ଞାନ ବିଭାଗର ଛାତ୍ର ବିଘ୍ନେଶ କୁମାର ଚୌଧୁରୀ ୬୦୦ ରୁ ୫୯୦ ମାର୍କ ରଖି ଛତ୍ରପୁର ବ୍ଲକ ଟପ୍ପର ହେବା ସହିତ ମହାବିଦ୍ୟାଳୟର ସବୁବର୍ଷର ରେକର୍ଡ଼ ଭାଙ୍ଗିଛନ୍ତି । ଏହା ସହିତ ମହାବିଦ୍ୟାଳୟର ୮ ଜଣ ଛାତ୍ରୀଛାତ୍ର ୫୪୦ ରୁ ଅଧିକ ମାର୍କ ରଖିଥିବା ବେଳେ ୩୧ ଜଣ ଛାତ୍ରୀ ଛାତ୍ର ୫୦୦ରୁ ଅଧିକ ମାର୍କ ରଖିଛନ୍ତି । ସେହିପରି ୪୫ ଜଣ ଛାତ୍ରୀ ଛାତ୍ର ୪୮୦ ମାର୍କ ରଖି ସୁନାମ ଆଣିଛନ୍ତି l ଚଳିତ ବର୍ଷ ପ୍ରତିଭା ଆବାସିକ ମହାବିଦ୍ୟାଳୟରେ ଯୁକ୍ତ -୨ରେ ୧୮୮ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୪୪ଜଣ ଛାତ୍ରୀ ଛାତ୍ର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୩୮ଜଣ ଛାତ୍ରୀଛାତ୍ର ଦ୍ୱିତୀୟ ଓ ୧ ଜଣ ତୃତୀୟ ହୋଇଛନ୍ତି । ଉତ୍ତୀର୍ଣ୍ଣ ହୋଇଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ ଦାଶ ଓ ନିର୍ଦେଶକ ମୁନ୍ମୟ ଦାଶଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗୁରୁବାର ମହାବିଦ୍ୟାଳୟ ପରିସରରେ ଛତ୍ରପୁର ବ୍ଲକ ଟପ୍ପର ବିଘ୍ନେଶ ସହିତ ସମସ୍ତ କୃତି ଛାତ୍ରୀଛାତ୍ରମାନଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଫୁଲ ତୋଡ଼ା ଦେଇ ଶୁଭେଚ୍ଛା ଜଣାଇବା ସହିତ ମିଷ୍ଟାନ ବଣ୍ଟନ କରାଯାଇଛି । ଏହା ସହିତ ଟ୍ରଫି ପ୍ରଦାନ କରାଯାଇଛି। ବିଘ୍ନେଶ ମୋଟ ୬୦୦ ରୁ ୫୯୦ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ବେଳେ ଭବିଷ୍ୟତରେ ଆଇଆଇଟି ଜେଇଇ ପଢିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି । ବିଘ୍ନେଶ ଛତ୍ରପୁର ବିଦ୍ୟାଧର ନଗର ବାସିନ୍ଦା ହୋଇଥିବାବେଳେ ପ୍ରତିଭା ଆବାସିକ ମହାବିଦ୍ୟାଳୟରେ ପାଠ ପଢୁଥିଲେ । ତାଙ୍କର ସଫଳତା ପାଇଁ ସେ ତାଙ୍କ ବାପା ମା ଓ ଭାଇ ଏବଂ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି ।

Odisha’s No.1 Odia Daily

Share