ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ପ୍ରତିଷ୍ଠାନ(ଏଷ୍ଟାବ୍ଲିଶମେଣ୍ଟ) ଅଧିକାରୀ ତଥା କାର୍ଯ୍ୟାଳୟ ଅଧୀକ୍ଷକ(ଅଫିସ ସୁପରିଟେଣ୍ଡେଣ୍ଟ) ଧନୁର୍ଦ୍ଧର ବିଶ୍ୱାଳଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ମଙ୍ଗଳବାର ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୪ଟି ସ୍ଥାନରେ ଚଢାଉ ଜାରି ରହିଛିଛି। ସମ୍ବଲପୁର ଭିଜିଲାନ୍ସର ସ୍ପେଶାଲ ଜଜଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଚଢାଉରେ ୨ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଏବଂ ୩ ଜଣ ଏଏସଆଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଭିଜିଲାନ୍ସ ଟିମ ବିଶ୍ୱାଳଙ୍କ ସମ୍ବଲପୁର ଧନକୁଡ଼ାସ୍ଥିତ ତାଙ୍କର ଦୁଇ ମହଲା ବିଶିଷ୍ଟ ବାସଭବନ, ଗୁଡ଼େସିଙ୍ଗାରେ ଥିବା ଆଉ ଏକ କୋଠା, ବୁର୍ଲା ଭିମସାର ମେଡିକାଲ ଷ୍ଟାଫ କଲୋନୀରେ ଥିବା ତାଙ୍କ ସରକାରୀ ଆବାସ ଏବଂ ବୁର୍ଲା ଭିମସାର ସୁପରିଟେଣ୍ଡେଣ୍ଟ କାର୍ଯ୍ୟାଳୟରେ ଥିବା ତାଙ୍କର ସରକାରୀ ପ୍ରକୋଷ୍ଠ ଆଦି ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଏକ ସମୟରେ ଖାନତଲାସି ଚଳାଇଛନ୍ତି। ବର୍ତ୍ତମାନ ସୁଦ୍ଧା ସମସ୍ତ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ବେଳେ ଏନେଇ ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ।