ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ:୫ ସ୍ଥାନରେ ଖାନତଲାସି ଜାରି

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ଆୟ ବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର) ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ଘରେ ମଙ୍ଗଳବାର ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ସମ୍ବଲପୁର ଏବଂ ବରଗ ଜିଲାର ମୋଟ ୫ଟି ସ୍ଥାନରେ ଏହି ଖୋଳତାଡ ଚାଲିଛି। ଏହି ମାମଲାରେ ଭିଜିଲାନ୍ସର ୫ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଏବଂ ୩ ଜଣ ଏଏସଆଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ବୁର୍ଲା ମେଡିକାଲ ଷ୍ଟାଫ କଲୋନୀରେ ଥିବା ସରକାରୀ କ୍ବାଟର, ବୁର୍ଲା ସୌରଭ ବିହାରରେ ନିର୍ମାଣାଧୀନ ଏକ ଚାରି ମହଲା କୋଠା, ବୁର୍ଲା ପଠାନବନ୍ଧରେ ଥିବା ଅନ୍ୟ ଏକ କୋଠା ଏବଂ ବରଗଡ଼ ଜିଲା ଗୋବିନ୍ଦପାଲିରେ ଥିବା ବାସଭବନ ସମେତ ବୁର୍ଲା ଭିମସାର କାର୍ଯ୍ୟାଳୟରେ ଥିବା ତାଙ୍କ ସରକାରୀ ଅଫିସ ପ୍ରକୋଷ୍ଠରେ ଭିଜିଲାନ୍ସ ଟିମ ପକ୍ଷରୁ ଯାଞ୍ଚ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ଚଢାଉ ଜାରି ରହିଥିବାବେଳେ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି, ସେ ନେଇ ସମ୍ପୂର୍ଣ୍ଣ ସୂଚନା ମିଳିପାରି ନାହିଁ।

 

Dharitri – Odisha’s No.1 Odia Daily

 

Share