କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଅନୁଗୋଳ,୩୧।୧: ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ କରିଛିି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୪ଟି ଜାଗାରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଛି। ବିରଞ୍ଚିଙ୍କ କୁମଣ୍ଡସ୍ଥିତ ବାସଭବନ, ଅମ୍ବାପାଳସ୍ଥିତ ଘର, ତାଳଚେର ବ୍ଲକ ଅଫିସ, ମେରାମୁଣ୍ଡଳୀସ୍ଥିତ ଶ୍ୱଶୁର ଘର, ତାଳଚେର ବିଡିଓ ଅଫିସରେ ଥିବା ତାଙ୍କ ଚାମ୍ବରରେ ଏକକାଳୀନ ଚଢ଼ାଉ କରାଯାଇଛି।
ସୂଚନା ଅନୁଯାୟୀ, ଅନୁଗୋଳ ସହ କଟକ, କେନ୍ଦ୍ରାପଡା, ଜଗତ୍‌ସିଂହପୁରର ଭିଜିଲାନ୍ସ ଟିମ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ତେବେ ଏହି ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ଟିମ ହାସଲ କରିଛି। ୨୦୧୦ରେ ବିରଞ୍ଚି ଚୁକ୍ତିଭିତ୍ତିକ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ୨୦୧୫ ଯାଏ ଚୁକ୍ତିଭିତ୍ତିକ ଆଧାରରେ ସେ ମାସିକ ୧୨,୫୦୦ ଟଙ୍କା ପାଉଥିଲେ। ପରେ ସେ ନିୟମିତ ନିଯୁକ୍ତି ପାଇଥିଲେ। ନିଜର ଚାକିରି କାଳ ଭିତରେ ତାଙ୍କର ଆୟ ୩୯ ଲକ୍ଷ ଟଙ୍କା ହୋଇଛି। ପ୍ରାଥମିକ ଆକଳନରୁ ତାଙ୍କର ଅଲଗା ଅଲଗା ଆକାଉଣ୍ଟରେ ଏଫ୍‌ଡି ଓ ଅନ୍ୟ ଡିପୋଜିଟ ଆକାରରେ ମୋଟ ୯୬,୯୦,୧୯୩ ଟଙ୍କା ଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୪୬ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା, ୫୦ ଲକ୍ଷରୁ ଅଧିକ ଟଙ୍କାର ସଞ୍ଚୟ ଜମା ଥିବା ଜଣାପଡିଛି। ଏହାସହ ଗୋଟିଏ ୨ ମହଲା କୋଠା, ଅନ୍ୟ ଏକ ବିଲ୍ଡିଂ, ଗୋଟିଏ କାର ଏବଂ ୫ଟି ବାଇକ ଥିବା ଜଣାପଡିଛି।