ସିଇଟି ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ୨.୧୯ କୋଟିର ସମ୍ପତ୍ତି ଠାବ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ):  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଜଣେ ଅଧ୍ୟାପକଙ୍କ ଘର ସମେତ ୪ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସେ ହେଲେ ଘାଟିକିଆସ୍ଥିତ କଲେଜ ଅଫ୍‌ ଇଞ୍ଜିନିୟିରିଂ ଆଣ୍ଡ୍‌ ଟେକ୍ନୋଲୋଜି (ସିଇଟି) ଗଣିତ ବିଭାଗର ସହକାରୀ ପ୍ରଫେସର ଡ. ପ୍ରସନ୍ନ କୁମାର ମିଶ୍ର। ତାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଭିଜିଲାନ୍ସ ଟିମ୍‌ ସକାଳୁ ଚଢ଼ାଉ ଆରମ୍ଭ କରିଥିଲା। ଯାଞ୍ଚବେଳେ ମୋଟ ୨କୋଟି ୧୯ ଲକ୍ଷ ୬୩ ହଜାର ୨୧୯ ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ ହୋଇଛି। ଖଣ୍ଡଗିରିସ୍ଥିତ ୪ ମହଲା ବିଶିଷ୍ଟ ବାସଭବନର ଅନୁମାନିକ ମୂଲ୍ୟ ୧ କୋଟି ୫୨ ଲକ୍ଷ ୨୯ ହଜାର ଟଙ୍କା, ଖୋର୍ଦ୍ଧା ଜିଲା ଟାଙ୍ଗୀ କାଳୁପଡାସ୍ଥିତ ୨ ମହଲା ବିଶିଷ୍ଟ ପୈତୃକ ଘରର ମୂଲ୍ୟ ୪ ଲକ୍ଷ ୯୨ ହଜାର ଟଙ୍କା। ଭୁବନେଶ୍ୱରରେ ୧୪ ଲକ୍ଷ ୮୫ ଟଙ୍କାର ୨ଟି ପ୍ଲଟ, ୩୬ ଲକ୍ଷ ଟଙ୍କାର ବ୍ୟାଙ୍କ୍‌ ଜମା, ୪ ଲକ୍ଷ ଟଙ୍କାର ସୁନା ଗହଣା ସହ ବାଇକ ଓ ଅନ୍ୟାନ୍ୟ ସାମଗ୍ରୀକୁ ହିସାବ କରାଯାଇଛି।