ଭିଜିଲାନ୍ସ  ଜାଲରେ ସଂଯୋଜିକା: ଲାଞ୍ଚ ନେଇ ଗଲେ ଜେଲ

ବଲାଙ୍ଗୀର ୨୧।୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଡିସିପି  ଅଫିସର ସଂଯୋଜିକା ପୁଷ୍ପାଙ୍ଗିନୀ ଯୋଶୀ ଶୁକ୍ରବାର ଲାଞ୍ଚ ନେଇ ଧରାପଡିଛନ୍ତି।  ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବା ବେଳେ  ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିନେଇଥିଲା।
ବଲାଙ୍ଗୀର ପାଟଣାଗଡ଼ ବ୍ଲକ ସୋଲବନ୍ଧ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମିତ୍ରଭାନୁ ମାଝି ତାଙ୍କ ବକେୟା ବିଲ ଆଡଜଷ୍ଟମେଣ୍ଟ ଓ ଏନ୍‌ଓସି ସାର୍ଟିଫିକେଟ ପାଇଁ ବାରମ୍ବାର ବଲାଙ୍ଗୀର ଡିପିସି ଅଫିସକୁ  ଯାଉଥିଲେ। ଦାୟିତ୍ୱରେ ଥିବା ଜେଣ୍ଡର କୋ-ଅର୍ଡିନେଟର ପୁଷ୍ପାଙ୍ଗିନୀ ଯୋଶୀ କାଗଜପତ୍ର କାମ କରାଇ ଦେବା ପାଇଁ ୩୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ମିତ୍ରଭାନୁ ବଲାଙ୍ଗୀର ଭିଜିଲାନ୍ସ ବିଭାଗର ସହାୟତା ଲୋଡିଥିଲେ।
ଶୁକ୍ରବାର ନିଜ ଅଫିସ ଭିତରେ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରି ନେଇଥିଲା ବଲାଙ୍ଗୀ, ସୋନପୁର ଓ ସମ୍ବଲପୁର ଟିମ ମିଳିତ ଭାବରେ ଚଢ଼ାଉ କରି ରଙ୍ଗବୋଳା ଟଙ୍କା ଜବତ  କରିଥିଲେ। ପୁଷ୍ପାଙ୍ଗିନୀଙ୍କୁ ଗିରଫ କରାଯାଇଛି।