କେନ୍ଦୁଝର,୧୯।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ମଦ ବିକ୍ରେତାଙ୍କଠାରୁ ନେଉଥିଲେ ଲାଞ୍ଚ। ମାଡ଼ି ବସିଲା ଭିଜିଲାନ୍ସ। ବୁଧବାର ଏଭଳି ଏକ ଘଟଣାକ୍ରମରେ ଓଡ଼ିଶା ଭିଜିଲାନ୍ସ ହାତରେ କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାରାଣୀ ପଟ୍ଟାୟତ ଏବଂ ଚମ୍ପୁଆ ଅବକାରୀ ଷ୍ଟେଶନ ଦାୟିତ୍ୱରେ ଥିବା ଅଧିକାରୀ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ବିଜୟ କୁମାର ମହାନ୍ତ ଧରାପଡ଼ିଛନ୍ତି।
ସେମାନେ ଚମ୍ପୁଆ ବ୍ଲକ ସରେଇ ଗ୍ରାମର ବିଧୁ ଭୂଷଣ ପତି ନାମକ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କଠାରୁ ତାଙ୍କ ବ୍ୟବସାୟ ସୁରୁଖୁରୁରେ ଚଳାଇବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଙ୍କ ହାତରେ ଧରା ପଡ଼ିଥିବା ଜଣା ପଡ଼ିଛି। ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଏହା ପରେ ସେମାନଙ୍କ ସରକାରୀ ବାସ ଗୃହ ଓ ଅଫିସରେ ବିଭାଗ ପକ୍ଷରୁ ଚଢାଉ ହୋଇଛି।
ବିଭାଗ ସୂତ୍ରରୁ ଜଣା ପଡ଼ିଛି ଯେ, ଚାରି ମାସ ତଳେ କେନ୍ଦୁଝର ଅବକାରୀ ଅଧୀକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସୀତାରାଣୀ ବିଭିନ୍ନ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କ (ଭେଣ୍ଡର) ମାନଙ୍କୁ ସେମାନଙ୍କ ବ୍ୟବସାୟକୁ ସୁଗମ କରିବା ପାଇଁ ନିୟମିତ ଦେୟ ଭାବରେ ଲାଞ୍ଚ ମାଗୁଥିଲେ। ଅନ୍ୟ କୌଣସି ଉପାୟ ନ ପାଇ, ଜଣେ ବିକ୍ରେତା ସୀତାରାଣୀଙ୍କ ଦ୍ୱାରା ହଇରାଣ କରାଯାଉଥିବା ବିଷୟ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ସୂଚନା ପାଇବା ପରେ, ଓଡ଼ିଶା ଭିଜିଲାନ୍ସର ଏକ ଦଳ ବୁଧବାର ସୀତାରାଣୀଙ୍କୁ ତାଙ୍କ ସହକର୍ମୀ ASI ମହାନ୍ତଙ୍କ ଧରିବା ସହ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି।
କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାରାଣୀଙ୍କ ସରକାରୀ ବାସଗୃହ, ଅଫିସ ସମେତ ତିନୋଟି ସ୍ଥାନରେ ଏବଂ ଚମ୍ପୁଆ ଅବକାରୀ ଷ୍ଟେସନର ବିଜୟ କୁମାରଙ୍କ ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି ବୋଲି କେନ୍ଦୁଝର ଡିଏସ୍ପି ସୁଧାଂଶୁ ପୂଜାରୀ କହିଛନ୍ତି। ଦୁର୍ନୀତି ନିବାରଣ ଆଇନ, ୨୦୧୮ ଧାରା ୭ ଅନୁଯାୟୀ ମାମଲା ପଞ୍ଜୀକରଣ କରି ବିଭାଗ ଅଭିଯୁକ୍ତ ଦୁହିଁଙ୍କ ବିଷୟରେ ଅଧିକ ତଦନ୍ତ କରୁଛି। ତଦନ୍ତ ପରେ ଆୟ ବର୍ହିଭୁତ ସମ୍ପତି ଓ ଅନ୍ୟ ବେଆଇନ କାମ କାର୍ଯ୍ୟ ବିଷୟରେ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଇଛି।
Dharitri – Odisha’s No.1 Odia Daily