କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଫୁଲବାଣୀ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଗିରଫ ଅଧିକାରୀମାନେ ହେଲେ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା।

କୋଟଗଡ଼ ବ୍ଲକର ଧରାକୋଟ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମିଥ୍ୟା ବିଲ୍‌ ପ୍ରସ୍ତୁତ କରି ୪୨ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ସେମାନଙ୍କ ବିରୋଧରେ ଆସିଥିଲା। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରେ ଅର୍ଥ ଆତ୍ମସାତ ହୋଇଥିବା ସ୍ପଷ୍ଟ ହୋଇଥିଲା।

ଏହି ଘଟଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁତନ୍ୟ ମହାକୁଡ଼ ଏବଂ ବ୍ଲକ ସହକାରୀ ଉନ୍ନୟନ ଅଧିକାରୀ କଂଶିରାମ ଦିଗାଲଙ୍କୁ ଜିଲ୍ଲାପାଳ ପୂର୍ବରୁ ନିଲମ୍ବିତ କରିଥିଲେ। ଦୁର୍ନୀତିର ଅଧିକ ତଦନ୍ତ ପାଇଁ ମାମଲାକୁ ଜିଲା ପରିଷଦ ପକ୍ଷରୁ ଭିଜିଲାନ୍ସ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ତଦନ୍ତ ପରେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରାଯାଇଥିବା ଫୁଲବାଣୀ ଭିଜିଲାନ୍ସ ଡିଏସ୍‌ପି ହେମନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୨୨-୨୩ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଏହି ମିଥ୍ୟା ବିଲ୍‌ ପ୍ରସ୍ତୁତ କରାଯାଇ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share