Video: ଏମିତି କ’ଣ କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଯେ ହସି ପକାଇଲେ ମୋଦି, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ,୧୨।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଏକ ସ୍ବତନ୍ତ୍ର ଢଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ମାଲେସିଆରେ ଅତ୍ୟନ୍ତ ଲୋକପ୍ରିୟ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହାତ ମିଳାଇବା ପରେ, ପ୍ରଧାନମନ୍ତ୍ରୀ ଅନୱାର ତାଙ୍କର ପ୍ରଶଂସା କରି କହିଥିଲେ, ‘ପ୍ରଧାନମନ୍ତ୍ରୀ ମୋଦୀ ଏତେ ଲୋକପ୍ରିୟ ଯେ ମୁଁ ତାଙ୍କ ପାଇଁ ଅନେକ ବାର୍ତ୍ତା ପାଇଛି।’ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କର ଏହି ଆଚରଣକୁ ଜନସାଧାରଣ ବେଶ ପସନ୍ଦ କରିଛନ୍ତି।
ବୈଠକ ସମୟରେ, ଉଭୟ ନେତା ପ୍ରତିରକ୍ଷା, ବାଣିଜ୍ୟ, ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଏବଂ ସେମିକଣ୍ଡକ୍ଟର ଭଳି କ୍ଷେତ୍ରରେ ସହଯୋଗକୁ ମଜବୁତ କରିବା ଉପରେ ଆଲୋଚନା କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଏକ ବିବୃତି ମାଧ୍ୟମରେ ଏହି ବୈଠକ ସମ୍ପର୍କିତ ବିବରଣୀ ପ୍ରଦାନ କରିଛି।

ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଭାରତରେ ପ୍ରଧାନମନ୍ତ୍ରୀ ଇବ୍ରାହିମଙ୍କୁ ସ୍ବାଗତ ଜଣାଇଥିଲେ ଏବଂ ଏକ ଅଂଶୀଦାର ଦେଶ ଭାବରେ ବ୍ରିକ୍ସ (BRICS) ସମ୍ମିଳନୀରେ ମାଲେସିଆର ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ। ଉଭୟ ନେତା ଫେବୃଆରୀ ୨୦୨୬ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତର ଫଳାଫଳ ଉପରେ ଆଲୋଚନା କରିଥିଲେ ଏବଂ ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା ଓ ସୁରକ୍ଷା, ସେମିକଣ୍ଡକ୍ଟର, ଭିତ୍ତିଭୂମି, ଡିଜିଟାଲ ଅର୍ଥନୀତି, ଶକ୍ତି, ଫିନ୍ଟେକ, ଶିକ୍ଷା, ପର୍ଯ୍ୟଟନ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ସାବାହର କୋଟା କିନାବାଲୁଠାରେ ଏକ ଭାରତୀୟ କନସୁଲେଟ ଖୋଲିବା ପ୍ରସ୍ତାବରେ ମାଲେସିଆର ସହମତି ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଆସିଆନ-ଭାରତ (ASEAN-India) ସମ୍ପର୍କକୁ ସୁଦୃଢ଼ କରିବାରେ ମାଲେସିଆର ନିରନ୍ତର ସମର୍ଥନକୁ ପ୍ରଶଂସା କରିଥିଲେ। ଉଭୟ ନେତା ପାରସ୍ପରିକ ସ୍ବାର୍ଥ ଜଡ଼ିତ ପ୍ରମୁଖ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତାମତ ଆଦାନପ୍ରଦାନ କରିଥିଲେ ଏବଂ ଭାରତ-ମାଲେସିଆ ବ୍ୟାପକ ରଣନୈତିକ ଅଂଶୀଦାରୀକୁ ଆଗକୁ ବଢ଼ାଇବା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ।
୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ମାଲେସିଆର ପ୍ରଧାନମନ୍ତ୍ରୀ ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଥିଲେ। ବିମାନବନ୍ଦରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ତାଙ୍କୁ ଉଷ୍ମ ସ୍ବାଗତ ଜଣାଇଥିଲେ।

Dharitri – Odisha’s No.1, Most Trusted Odia Daily

Share