ଆଇଟିବିପି ଯବାନଙ୍କୁ ସାଲ୍ୟୁଟ କରୁଥିବା ଶିଶୁର ଭିଡ଼ିଓ ଭାଇରାଲ

ଚୁଶୁଲ୍‌, ୧୨।୧୦: ସୋସିଆଲ୍‌ ମିଡ଼ିଆରେ ଜଣେ ଶିଶୁର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଶିଶୁ ଜଣକ ଲଦାଖର ଚୁଶୁଲ୍‌ଠାରେ ଆଇଟିବିପି ଯବାନଙ୍କୁ ସାଲ୍ୟୁଟ୍‌ କରୁଥିବାର ଦେଖିବାକୁ ମିଳୁଛି। ନାମଗୟାଲ ନାମକ ଏହି ଶିଶୁ ରାସ୍ତାକଡ଼ରେ ଠିଆ ହୋଇଥିବାର ଦୃଶ୍ୟ ଭିଡ଼ିଓରେ ରହିଛି। ଏହି ବାଟ ଦେଇ ଯାଉଥିବା ଆଇଟିବିପି ଯବାନଙ୍କୁ ଶିଶୁଟି ସାଲ୍ୟୁଟ୍‌ କରୁଛି। ୨୧ ସେକେଣ୍ଡର ଏହି ଭିଡ଼ିଓକୁ ଆଇଟିବିପି ଯବାନଙ୍କ ପକ୍ଷରୁ ଅକ୍ଟୋବର ୮ ସକାଳେ ରେକର୍ଡିଂ କରାଯାଇଥିଲା। ପରେ ଏହାକୁ ଟୁଇଟରରେ ଅକ୍ଟୋବର ୧୧ରେ ଆଇଟିବିପି ହ୍ୟାଣ୍ଡେଲରୁ ଅପଲୋଡ୍‌ କରାଯାଇଥିଲା। ଇତିମଧ୍ୟରେ ଏହି ଭିଡ଼ିଓକୁ ୪୪ ହଜାରରୁ ଅଧିକ ଥର ଦେଖା ସରିଥିବାବେଳେ ୭ ହଜାରରୁ ଅଧିକ ଲାଇକ୍‌ ମିଳିଛି। ଲଗାତାର ୟୁଜର ଏହି ଭିଡ଼ିଓକୁ ରିଟୁଇଟ୍‌ କରିବା ଜାରି ରଖିଛନ୍ତି। ନାମଗୟାଲ ସାବଧାନ ପୋଜିଶନ୍‌କୁ ଆସି ସାଲ୍ୟୁଟ କରିବା ସହିତ ପୁଣି ବିଶ୍ରାମ୍‌ ପୋଜିଶନ୍‌କୁ ଯାଉଥିବାରୁ ସୁନ୍ଦର ଦୃଶ୍ୟ ଭିଡ଼ିଓରେ ରହିଛି। ଦେଶର ସୁରକ୍ଷାରେ ନିୟୋଜିତ ରହିଥିବା ଯବାନଙ୍କ ପ୍ରତି ଛୋଟ ପିଲାଟିର ଏଭଳି ସମ୍ମାନ ବହୁ ୟୁଜରଙ୍କୁ ଭାବୁକ କରିବାରେ ଲାଗିଛି।

Share