Categories: ଜାତୀୟ

ଯୁବତୀଙ୍କ ଗର୍ଭପାତ କରାଇଲେ ଡାକ୍ତର ନେବେ ୧୦ ହଜାର ଟଙ୍କା, ଭିଡିଓ ଭାଇରାଲ୍‌

ଲକ୍ଷ୍ନୌ,୫।୧୧: ଉତ୍ତର ପ୍ରଦେଶର ବଦାୟୁଁ ସହରର ଏକ ଘରୋଇ ଡାକ୍ତରଖାନାର ମହିଳା ଡାକ୍ତରଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଅବିବାହିତା ଯୁବତୀଙ୍କ ଗର୍ଭପାତ ପାଇଁ ୧୦ ହଜାର ଟଙ୍କା କାରବାର କରୁଥିବା ଦେଖିବାକୁ ମିଳିଛି। ଏହି ଅଭିଯୋଗ ଆସିବା ପରେ ସିଏମଓ ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଭାଇରାଲ ହୋଇଥିବା ଭିଡିଓ ଗାନ୍ଧୀ ଗ୍ରାଉଣ୍ଡ ପାନବାଡିଆ ନିକଟସ୍ଥ ଏକ ଡାକ୍ତରଖାନାର ବୋଲି ଜଣାପଡିଛି। ଭିଡିଓ ଅନୁଯାୟୀ ଗତ ମଙ୍ଗଳବାର ଦୁଇଜଣ ମହିଳା ଘରୋଇ ଡାକ୍ତରଖାନାରେ ପହଞ୍ଚିଥିଲେ। ସେ ମହିଳା ଡାକ୍ତରଙ୍କ ସହ କଥା ହୋଇ ଗର୍ଭପାତ କରିବା କଥା ପଚାରିଥିଲେ। ଏହାର ମୂଲ୍ୟ କେତେ ହେବ ବୋଲି ସେମାନେ ଡାକ୍ତରଙ୍କୁ ପଚାରିଥିଲେ। ଏହାର ଜବାବରେ ଡାକ୍ତର କହିଥିଲେ ଯଦି ଅବିବାହିତା, ତେବେ ୧୦ ହଜାର ଟଙ୍କା। ବିବାହିତ ମହିଳାଙ୍କ ପାଇଁ ଏହାଠାରୁ କମ ଟଙ୍କା ରହିବ। ତା’ପରେ ମହିଳାମାନେ ପଚାରିଥିଲେ ଗର୍ଭପାତ କେବେ ହୋଇପାରିବ? ଡାକ୍ତର କହଥିଲେ ଯେ ସେ ଯୁବତୀଙ୍କୁ ଆଜି ନେଇଆସ। ସଙ୍ଗେ ସଙ୍ଗେ ହୋଇଯିବ। ଏହି ସମୟ ମଧ୍ୟରେ ଜଣେ ବ୍ୟକ୍ତି ମହିଳା ଡାକ୍ତରଙ୍କ ଭିଡିଓ ମଧ୍ୟ କରିଥିଲେ। ଗତ ବୁଧବାରଠାରୁ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ଉପରେ ସିଏମଓ ଡକ୍ଟର ଯଶପାଲ ସିଂ ଏହାର ତଦନ୍ତ ଏସିଏମ୍‌ଓ ଡା. କେ କେ ଜୋହରିଙ୍କୁ ପ୍ରଦାନ କରିଛନ୍ତି। ଏପର୍ଯ୍ୟନ୍ତ ଘରୋଇ ଡାକ୍ତରଖାନାର ମହିଳା ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି।

Share