Categories: ଜାତୀୟ

ଗଣବଳାତ୍କାରୀ ପୀଡ଼ିତାଙ୍କ ମୁହଁରେ କଳା ବୋଳି, ଲଣ୍ଡା କରି ଚଲାଇଲେ

ନୂଆଦିଲ୍ଲୀ,୨୭।୧: ଗଣବଳାତ୍କାର ପୀଡ଼ିତାଙ୍କୁ ଦିଲ୍ଲୀରେ ମାଡ଼ ମାରିବା ସହ ତାଙ୍କୁ ଲଣ୍ଡା କରି ମୁହଁରେ କାଳି ବୋଳି ପରେଡରେ କରାଇଛନ୍ତି ପଡ଼ୋଶୀ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ୪ ମହିଳାଙ୍କୁ ଗିରଫ କରାଯାଇଛି। ଏ ନେଇ ଗୁରୁବାର ସ୍ପଷ୍ଟ କରିଛି ଦିଲ୍ଲୀ ମହିଳା କମିଶନ।

ପୀଡ଼ିତାଙ୍କୁ ଭେଟିଥିବା ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ବାତି ମାଲିଓ୍ବାଲ ଟୁଇଟ୍‌ କରି ଦିଲ୍ଲୀ ପୋଲିସଠାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

“ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ କସ୍ତୁରବା ନଗରରେ ବେଆଇନ ମଦ ବେପାରୀ ଗଣବଳାତ୍କାର କରିଥିଲେ। ତା’ରେ ପୀଡ଼ିତାଙ୍କୁ ପଡ଼ୋଶରେ ଲଣ୍ଡା କରି, ମୁହଁରେ କାଳି ବୋଳି ଓ ଚପଲର ମାଳ ପିନ୍ଧାଇ ରାସ୍ତାରେ ପରେଡ୍‌ କରାଇଥିଲେ। ମୁଁ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛି। ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ଉଚିତ। ପୀଡ଼ିତା ଏବଂ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯିବା ଦରକାର” ବୋଲି ମାଲିଓ୍ବାଲ ଭିଡିଓ ଶେୟାର କରି କ୍ୟାପଶନରେ ଲେଖିଛନ୍ତି।

ପୀଡ଼ିତାଙ୍କ ଅନୁଯାୟୀ, ତାଙ୍କୁ ଘରୁ ୩ ଜଣ ବ୍ୟକ୍ତି ଉଠାଇ ନେଇ ଗଣବଳାତ୍କାର କରିଥିଲେ। ସେମାନେ ସେହି ଅଞ୍ଚଳରେ ବେଆଇନ ମଦ ଓ ଡ୍ରଗ୍ସ ବେପାର କରନ୍ତି। ଗଣବଳାତ୍କାର ବେଳେ ଜଣେ ମହିଳା ଘଟଣା ସ୍ଥଳରେ ଉପସ୍ଥିତ ରହି ଅପରାଧୀଙ୍କୁ ଉସୁକାଉଥିଲେ ବୋଲି ମହିଳା ପ୍ୟାନେଲ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି।

Share