ଜାମିନ ଶୁଣାଣି ବେଳେ ପକ୍ଷ ରଖିବେ ବଳାତ୍କାର ପୀଡ଼ିତା

କଟକ ଅଫିସ,୨୮।୭: ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ନିୟମିତ ଜାମିନ ଶୁଣାଣି ବେଳେ ପୀଡ଼ିତା ନିଜେ କୋର୍ଟରେ ଉପସ୍ଥିତ ରହି ପକ୍ଷ ରଖିବେ। କୌଣସି କାରଣରୁ ସେ ଅନୁପସ୍ଥିତ ରହିଲେ, ଅଭିଯୋଗକାରୀ କିମ୍ବା ସୂଚନା ପ୍ରଦାନକାରୀଙ୍କୁ ଉପସ୍ଥିତ ରହିବାକୁ ହେବ। ପୂର୍ବରୁ ସେଥିପାଇଁ ନୋଟିସ ଦିଆଯିବ। ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ୍‌) ଲଳିତ ଦାସ ବିଜ୍ଞପ୍ତି ଜାରି କରିବା ସହ ସମସ୍ତ ଜିଲା ଓ ଦୌରାଜଜ୍‌ଙ୍କୁ ଚିଠି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଗଜପତି ଜିଲା କାଶୀନଗର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଥିଲା। ପ୍ରଥମେ ଆଇପିସି ଧାରା ୩୬୩ରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପରେ ଏହା ଆଇପିସି ଧାରା ୩୭୬(୨)(ଏନ୍‌)(୩) ଓ ପୋକ୍ସୋ ଆଇନର ଧାରା ୬କୁ ପରିବର୍ତ୍ତିତ ହୋଇଥିଲା। ପାରଳାଖେମୁଣ୍ଡି ଅତିରିକ୍ତ ଜିଲା ଦୌରାଜଜ୍‌ ନିୟମିତ ଜାମିନ ଆବେଦନକୁ ଖାରଜ କରିବା ପରେ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ୧୫ ତାରିଖରେ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ପାଣିଗ୍ରାହୀ ଜାମିନ ଆବେଦନର ଶୁଣାଣି କରି କହିଥିଲେ ଯେ, କ୍ରିମିନାଲ୍‌ ଲ’ (ଆମେଣ୍ଡମେଣ୍ଟ) ଆକ୍ଟ-୨୦୧୮ ଅନୁଯାୟୀ ନିୟମିତ ଜାମିନର ଶୁଣାଣି ବେଳେ ପୀଡ଼ିତା ଉପସ୍ଥିତ ରହିପାରିବେ। ଏହି ପରିପ୍ରେକ୍ଷୀରେ ଗତ ଜୁନ୍‌ ୫ରେ ଦିଲ୍ଲୀ ହାଇକୋର୍ଟ ସିଆର୍‌ଏଲ୍‌ଏମ୍‌ସି ୧୪୭୪/୨୦୨୦ ଏବଂ ସିଆର୍‌ଏଲ୍‌ଏମ୍‌ଏ ୬୩୩୦/୨୦୨୦ ଏବଂ ୬୭୦୫/୨୦୨୦ ମାମଲାରେ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ କୋର୍ଟ ଉଲ୍ଲେଖ କରିଥିଲେ। ଏଥିସହ ରାଜ୍ୟର ସମସ୍ତ ତଳ ଅଦାଲତ ଏହି ନିର୍ଦ୍ଦେଶକୁ ପାଳନ କରିବା ପାଇଁ ପ୍ରାକ୍ଟିସ୍‌ ଡାଇରେକ୍ସନ ବା ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପରୋକ୍ତ ନିର୍ଦ୍ଦେଶ ଅନୁଯାୟୀ ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ୍‌) ଲଲିତ ଦାସ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆଇପିସିର ଧାରା ୩୭୬, ଧାରା ୩୭୬ ଏବି, ଧାରା ୩୭୬ ଡିଏ, ଧାରା ୩୭୬ ଡିବିରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ଶୁଣାଣି ବେଳେ ପୀଡ଼ିତାଙ୍କୁ ନୋଟିସ ଦିଆଯିବ। ତଳ ଅଦାଲତକୁ ଏହି ନିର୍ଦ୍ଦେଶ ଦେବା ପାଇଁ ଜିଲା ଜଜ୍‌ମାନଙ୍କୁ ବିଜ୍ଞପ୍ତିରେ କୁହାଯାଇଛି।