ଭୁବନେଶ୍ୱର,୧୬।୧୧ (ରବିନାରାୟଣ ଜେନା): ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ସୋମବାର ବିଧାନସଭାରେ ଗୃହର ସଦସ୍ୟମାନଙ୍କ ପାଇଁ ହେବାକୁ ଥିବା ଦିନିକିଆ ଓରିଏଣ୍ଟେଶନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ଏଥିପାଇଁ ଗୃହର ସମସ୍ତ ସଦସ୍ୟଙ୍କୁ ପୂର୍ବାହ୍ନ ୯ଟା ସୁଦ୍ଧା ପହଞ୍ଚିବାକୁ କୁହାଯାଇଛି। ୯ଟା ୩୦ମିନିଟ୍ ପରେ କାହାରିକୁ ଗୃହ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଉପରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଜାରି ନିର୍ଦେଶନାମାରେ କୁହାଯାଇଛି। ଏନେଇ ବାଚସ୍ପତି ସୁରମା ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି, ପୂର୍ବାହ୍ନ ୧୦ଟାରେ ଉପରାଷ୍ଟ୍ରପତି ବିଧାନସଭାର ଗୃହଭିତରକୁ ସବୁଜ ବଳୟ ଭିତରେ ପ୍ରବେଶ କରି ଓରେଣ୍ଟେସନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମ ୩ଟି ପର୍ଯ୍ୟାୟରେ ସମ୍ପନ୍ନ ହେବ। ଉଦ୍ଘାଟନ ସେସନ୍ ପରେ ସଂସଦ କମିଟି ଏବଂ ବିଧାନସଭା କମିଟି ସମ୍ପର୍କରେ ଆଲୋଚନା କରାଯିବ। ଟେକ୍ନିକାଲ ଏକ୍ସପର୍ଟ ଏହି ସେସନ୍କୁ ସମ୍ବୋଧିତ କରିବେ। ପରବର୍ତ୍ତୀ ସେସନ୍ରେ ବଜେଟ୍ ସଂକ୍ରାନ୍ତରେ ଆଲୋଚନା କରାଯିବ। ଏହି ଓରେଣ୍ଟେସନ କାର୍ଯ୍ୟକ୍ରମ ସମସ୍ତ ବିଧାୟକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ବିଧାନସଭା ବିଧିବ୍ୟବସ୍ଥା ଏବଂ ପରିବର୍ତ୍ତିତ ପରିସ୍ଥିତି ସମ୍ପର୍କରେ ଆଲୋଚନା କରାଯିବ ବୋଲି ବାଚସ୍ପତି କହିଛନ୍ତି।