ଭାପୁରରେ ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ

ଭାପୁର, ୧ା୭(ଭରତ କୁମାର ବେହେରା ): ଭାପୁର ବ୍ଲକର ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ଲକର ଜନସାଧାରଣ କୃଷି ସହ ପଶୁ ପାଳନକୁ ପେଶା କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି। ହେଲେ ସରକାରୀ ପ୍ରୋତ୍ସାହନ ଅଭାବ, ଗୋ-ସମ୍ପଦ ବୃଦ୍ଧିରେ ବାଧକ ସୃଷ୍ଟି ହେଉଛି। ଭାପୁର ବ୍ଲକର ୨୦ଟି ପଞ୍ଚାୟତ ପାଇଁ ଭାପୁର ବଜାର ସଦର ମହକୁମାରେ ଗୋଟିଏ ଭେଟେନାରୀ ସେଣ୍ଟର ରହିଛି। ୪ଟି ସବ୍‌ ସେଣ୍ଟର ବଡ଼ସହରା, ବାଉଁଶବାଟୀ, ବାଇଗୁଣିଆ, ଚକ୍ରଧରପ୍ରସାଦ ଗ୍ରାମରେ ରହିଛି। ସେଥିରେ ମଧ୍ୟ କେତେଗୋଟି ପଦବୀ ଖାଲି ପଡ଼ିଛି। ଭାପୁର ବ୍ଲକରେ ୮ଜଣ ପ୍ରାଣୀ ଚିକିତ୍ସକ ରହିବା ଆବଶ୍ୟକ ଥିବାବେଳେ ସରକାର ୪ ଜଣ ଚିକିତ୍ସକଙ୍କୁ ନିଯୁକ୍ତି ଦେଇଛନ୍ତି। ସେଥି ମଧ୍ୟରୁ ୩ ଗୋଟି ପଦବୀ ଖାଲି ରହିଛି। ବ୍ଲକରେ ଏବେ ୨୪,୦୯୪ ଗାଈ ବଳଦ, ୮୬୧ ମଇଁଷି ଓ ପଣ୍ଡା, ୫୬୮୨ଟି ଛେଳି ଓ ୪୯୬୯ ମେଣ୍ଢା ରହିଛନ୍ତି। ବ୍ଲକର ଆବଶ୍ୟକ ଅନୁସାରେ, ଆଉ ୨ଟି ଭେଟେନାରୀ ସେଣ୍ଟର ଆବଶ୍ୟକତା ରହିଥିବା ବେଳେ ଅଧିକ ୧୬ଟି ସବ୍‌ ସେଣ୍ଟର ଖୋଲିବା ଦରକାର ପଡୁଛି। ବ୍ଲକରେ ଏବେ ଗୋଟିଏ ଭେଟେନାରୀ ସେଣ୍ଟର ଭାପୁରଠାରେ ରହିଥିବା ବେଳେ ବାଉଁଶବାଟୀ ଓ ବାଇଗୁଣୀଆ ସବ୍‌ ସେଣ୍ଟରକୁ ଅପ୍‌ ଗ୍ରେଡ଼ କରି ୨ଟିକୁ ଭେଟେନାରୀ ସେଣ୍ଟର କରାଯିବାର ଆବଶ୍ୟକତା ରହିଛି। ସେହିପରି ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ସବ୍‌ ସେଣ୍ଟର ଖୋଲିଲେ ଆହୁରି ୧୬ଟି ନୂତନ ସବ୍‌ ସେଣ୍ଟର ଆବଶ୍ୟକତା ମେଣ୍ଟାଯାଇ ପାରିବ ବୋଲି ଜଣାଯାଇଛି। ଭାପୁର ବ୍ଲକର ଗଁା ଗହଳିରେ ବେକାର ଯୁବତୀଯୁବକମାନେ ଗାଈ ଫାର୍ମ, ମେଣ୍ଢା, ଛେଳି ଫାର୍ମ କରିବାକୁ ଆଗ୍ରହ ଦେଖାଇଲା ବେଳକୁ ବିଭାଗୀୟ କର୍ମଚାରୀ ଅଭାବ ଓ ଠିକ୍‌ ସେବା ନ ପାଇବାର ଭୟ ସେମାନଙ୍କୁ ପଛକୁ ଟାଣି ନେଉଛି। ଏପରିକି ପଦ୍ମାବତୀ ଓ କରବର ଭଳି ପଞ୍ଚାୟତର ଗୋ ଚାଷୀ ଗୋସେବା ପାଇଁ ୧୨ କିଲୋମିଟର ଦୂର ବାଉଁଶବାଟୀ କିମ୍ବା ଭାପୁର ଆସିବାକୁ ବାଧ୍ୟ ହୋଇଥାନ୍ତି। ଭାପୁର ବ୍ଲକକୁ ଏପରି ଅଣଦେଖା କରାଯିବା ଜନସାଧାରଣଙ୍କୁ ବ୍ୟଥିତ କରୁଛି। ତେଣୁ ଭାପୁର ବ୍ଲକରେ ଅଧିକ ପ୍ରାଣୀ ଚିକିତ୍ସକ ପଦବୀ ପୂରଣ କରିବାକୁ ଦାବି ହେଉଛି।