ପଞ୍ଜାବୀ ଅଭିନେତ୍ରୀ ଦଲଜିତ କୌରଙ୍କ ପରଲୋକ

ଲୁଧିଆନ,୧୮ ।୧୧: ମାତ୍ର ୬୯ ବର୍ଷ ବୟସରେ ପଞ୍ଜାବୀ ଅଭିନେତ୍ରୀ ଦଲଜିତ କୌରଙ୍କର ପରଲୋକ ହୋଇଛି । ଆକ୍ଟର ନିରୁ ବାଜୱା ଦଲଜିତଙ୍କ ପରଲୋକ ହୋଇଥିବା ସୂଚନା ଦେବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି । ଗୁରୁବାର ରାଜକୋଟ ପଞ୍ଜାବରେ ଅଭିନେତ୍ରୀ ଦଲଜିତ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପଞ୍ଜାବ ଫିଲ୍ମ ଇଣ୍ଡଷ୍ଟ୍ରିରେ ‘ହେମା ମାଳିନୀ’ ଭାବେ ପରିଚିତ ଦଲଜିତ କୌର ଦାଜ, ଗିଦ୍ଧା, ପୁଟ ଜାତ୍ତନ ଦେ, ଇସ୍କ ନିମାନା, ଲାଜୋ, ବଟୱାରା ଆଦି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇପାରିଥିଲେ ।
ଦଲଜିତଙ୍କ ପରଲୋକ ଖବର ଜାଣିବା ପରେ ଅନେକେ ସେଲିବ୍ରିଟି ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପଞ୍ଜାବୀ ସିଙ୍ଗର ମିକା ସିଂ ଟୁଇଟ କରି ଲେଖିଛନ୍ତି, ପଞ୍ଜାବର ନାମୀ କଳାକାର ଦଲଜିତ କୌର ଆମ ଗହଣରେ ନାହାନ୍ତି, ହେଲେ ତାଙ୍କର ସୁନ୍ଦର ସ୍ମୃତିକୁ ଆମ ପାଇଁ ଛାଡି ଯାଇଛନ୍ତି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।

ଅଭିନେତା ସତିଶ ଶାହା ଦଲଜିତଙ୍କ ବ୍ୟାଚମେଟ ହୋଇଥିବା ବେଳେ ସେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତେବେ ଦଲଜିତଙ୍କ ମୃତ୍ୟୁର କାରଣ ଏର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Share