Categories: ଜାତୀୟ

ପଦ୍ମଶ୍ରୀ ବିନୋଦ ଦୁଆଙ୍କ ପରଲୋକ

ନୂଆଦିଲ୍ଲୀ,୪।୧୨: ପଦ୍ମଶ୍ରୀ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ୧୯୫୪ ମାର୍ଚ୍ଚ ୧୧ରେ ସେ ଜନ୍ମଗ୍ରହଣ କରିଥିଲେ। ଦୂରଦର୍ଶନ ଏବଂ ଏନ୍‌ଡିଟିଭି ଇଣ୍ଡିଆରେ କାର୍ଯ୍ୟ କରି ସେ ଦେଶର ଜଣେ ଚର୍ଚ୍ଚିତ ସାମ୍ବାଦିକ ଭାବେ ପରିଚିତ ହୋଇଥିଲେ। ୧୯୯୬ରେ ତାଙ୍କୁ ପ୍ରଖ୍ୟାତ ରାମନାଥ ଗୋଏଙ୍କା ଉତ୍କର୍ଷ ସାମ୍ବାଦିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ସହ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ୨୦୦୮ରେ ପଦ୍ମଶ୍ରୀ ମିଳିଥିଲା।

ସୂଚନା ଯୋଗ୍ୟ, ଗତ ଜୁନ ମାସରେ ବିନୋଦ ତାଙ୍କ ସ୍ତ୍ରୀଙ୍କୁ ହରାଇଥିଲେ। ପରେ ସେ କୋଭିଡ୍‌ ସଂକ୍ରମିତ ହୋଇଥିଲେ। ଚିକିତ୍ସା ପରେ ସେ କୋଭିଡ୍‌ରୁ ସୁସ୍ଥ ହୋଇଥିଲେ। ହେଲେ ତାଙ୍କର ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥିଲା। ଏନେଇ ସେ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ଝିଅ ମଲ୍ଲିକା ଦୁଆ ସୂଚନା ଦେଇଛନ୍ତି। ରବିବାର ତାଙ୍କର ଅନ୍ତିମ ସତ୍କାର କରାଯିବ।

Share