ପରଲୋକରେ ଲୋକପ୍ରିୟ ଯାତ୍ରା କଳାକାର ‘ଭିକୁ ସେଠ୍‌’

ଚୌଦ୍ୱାର,୧୨।୯(ଡି.ଏନ୍‌.ଏ.): ପରଲୋକରେ ଲୋକପ୍ରିୟ ଯାତ୍ରା କଳାକାର ଭିକୁ ସେଠ୍‌ ଓରଫ ମହେନ୍ଦ୍ର ଦାସ। ଶନିବାର ସକାଳେ ଛାତିରେ ଯନ୍ତ୍ରଣା ହେବା ପରେ ଚୌଦ୍ୱାରରୁ କଟକ ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ‘ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରାରେ ନିଜର ବଳିଷ୍ଠ ଅଭିନୟ ପାଇଁ ସେ ଘରେ ଘରେ ଭିକୁ ସେଠ୍‌ ନାମରେ ପରିଚିତ ଥିଲେ।

ସୂଚନାନୁଯାୟୀ, ଚୌଦ୍ୱାରସ୍ଥିତ ବାସଭବନରେ ହୃଦଘାତ ହେବା ପରେ ତାଙ୍କୁ ପ୍ରଥମେ ଚୌଦ୍ୱାରର ଏକ ଘରୋଇ ନର୍ସିଂହୋମ ଓ ପରେ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା। ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା। ତେବେ ମରଶରୀରକୁ ବାସଭବନକୁ ଅଣାଯାଇ ପୈତୃକ ଗ୍ରାମ ପୁରୀ ଜିଲା ଚନ୍ଦନପୁର କୁଶପଦା ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୁତ୍ରରୁ ଜଣାପଡ଼ିଛି।