ଭୁବନେଶ୍ୱର, ୨୫ା୬ (ସୌମ୍ୟରଞ୍ଜନ ରାଉତ): ସିନେ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି(୭୨)ଙ୍କ ବୁଧବାର ହୃଦ୍ଘାତରେ ପରଲୋକ ହୋଇଯାଇଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କ କାଳଜୟୀ ସାହିତ୍ୟକୃତି ‘ଡାକମୁନସୀ’ ଉପରେ ଏକ ଓଡ଼ିଆ ସିନେମା ନିର୍ମାଣ କରିବାକୁ କଳାକାର ଚୟନ ଚାଲିଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ। ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ବୁଧବାର ତାଙ୍କର ପରଲୋକ ହୋଇଯାଇଛି। ସନ୍ଧ୍ୟାରେ ନାରାୟଣଙ୍କ ପାର୍ଥତ୍ବ ଶରୀରକୁ ଯାଜପୁରସ୍ଥିତ ପୈତୃକ ଗଁା ପ୍ରୀତିପୁରକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ବର୍ଗତ ପତି ୧୯୭୧ରୁ ଅଭିନୟ କ୍ୟାରିଅର ଆରମ୍ଭ ହୋଇଥିଲା। ୧୯୭୯ରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ସମର ସଲିମ ସାଇମନ’ରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। ୧୯୯୪ରେ ପ୍ରଯୋଜକ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’ ଏବଂ ‘ବାଟ ଅବାଟ’ ଭଳି ସିନେମାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଏଥିସହିତ ସେ ହିନ୍ଦୀ ସିନେମା ‘ଦୟାବାନ୍’ରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଥିଲେ। ତାଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘ବୋଉର ହାତ ବାକ୍ସ’।


