ନୂଆଦିଲ୍ଲୀ, ୧୬ା୯: ପୃଥିବୀର ଦ୍ରୁତ ଘୂର୍ଣ୍ଣନ ଯୋଗୁ ଚନ୍ଦ୍ର ଆମଠାରୁ ଦୂରେଇ ଯାଉଥିବା ବେଳେ ଶୁକ୍ର ଗ୍ରହର ମନ୍ଥର ଗତି ହିଁ ତା’ର ଉପଗ୍ରହ ପାଇଁ କାଳ ସାଜିଥିଲା। ଶକ୍ତିଶାଳୀ ମାଧ୍ୟାକର୍ଷଣ ବଳ ଏବଂ ଅତି ମନ୍ଥର ଆବର୍ତ୍ତନ ଗତି ଯୋଗୁ ଶୁକ୍ରର ଉପଗ୍ରହ ତା’ ଉପରେ ମାଡ଼ହୋଇ ନଷ୍ଟ ହୋଇଯାଇଛି। ଫଳରେ ଆଜି ଏହି ଗ୍ରହର କୌଣସି ଉପଗ୍ରହ ନାହିଁ। ‘ଦି ଆଷ୍ଟ୍ରୋଫିଜିକାଲ ଜର୍ନାଲ’ରେ ପ୍ରକାଶିତ ଏକ ନୂତନ ଜ୍ୟୋତିର୍ବିଜ୍ଞାନ ଗବେଷଣାରୁ ଏଭଳି ରୋମାଞ୍ଚକର ତଥ୍ୟ ସାମ୍ନାକୁ ଆସିଛି।
ୟୁନିଭର୍ସିଟି ଅଫ୍ କାଲିଫର୍ନିଆ-ରିଭରସାଇଡ୍ର ଆଷ୍ଟ୍ରୋଫିଜିସିଷ୍ଟ ତଥା ମୁଖ୍ୟ ଗବେଷକ ଷ୍ଟିଫେନ୍ କେନ୍ କହିଛନ୍ତି, ଶୁକ୍ର ଗ୍ରହର ଆଜିର ସ୍ଥିତି କୌଣସି ବାହ୍ୟ ମହାଜାଗତିକ ଦୁର୍ଘଟଣା ଯୋଗୁ ହୋଇନାହିଁ। ବରଂ ଗ୍ରହର ନିଜସ୍ବ ଗୁରୁତ୍ୱାକର୍ଷଣ ଶକ୍ତି ଏବଂ ଅତି ମନ୍ଥର ଘୂର୍ଣ୍ଣନ ଗତିର ମିଶ୍ରଣ ଯୋଗୁ ସେଠାରେ ଥିବା ଉପଗ୍ରହ ପ୍ରାକୃତିକ ଭାବେ ଗ୍ରହ ଆଡ଼କୁ ଟାଣିହୋଇ ଆସିଥିଲା ଏବଂ ଶେଷରେ ତା’ ଉପରେ ଖସିପଡ଼ିଥିଲା।
ବୈଜ୍ଞାନିକଙ୍କ ମତରେ, ପୃଥିବୀ ମାତ୍ର ୨୪ ଘଣ୍ଟାରେ ଥରେ ନିଜ ଅକ୍ଷ ଚାରିପଟେ ଦ୍ରୁତଗତିରେ ଘୂରିଥାଏ, ଯାହା ଏହାର ଉପଗ୍ରହ ଚନ୍ଦ୍ରକୁ ଦୂରେଇ ରଖିବାରେ ସାହାଯ୍ୟକରେ। କିନ୍ତୁ ଶୁକ୍ର ଗ୍ରହର ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ଶୁକ୍ର ନିଜ ଅକ୍ଷ ଚାରିପଟେ ଥରେ ଘୂରିବା ପାଇଁ ପୃଥିବୀ ତୁଳନାରେ ଅଧିକ ୨୪୩ ଦିନ ସମୟ ନେଇଥାଏ। ଶୁକ୍ରର ଏହି ମନ୍ଥର ଆବର୍ତ୍ତନ ଯୋଗୁ ଏହାର ଉପଗ୍ରହ ବାହାରକୁ ନ ଯାଇ ଭିତରକୁ କୁଣ୍ଡଳୀ ଆକାରରେ ଟାଣିହୋଇ ଆସିଥିଲା ଏବଂ ଶେଷରେ ଗ୍ରହ ପୃଷ୍ଠରେ ମାଡ଼ହୋଇ ଲୀନହୋଇଯାଇଥିଲା। ଗବେଷକମାନେ କମ୍ପ୍ୟୁଟର ସିମ୍ୟୁଲେସନ ମଡେଲ ଜରିଆରେ ବିଭିନ୍ନ ଆକାର କାଳ୍ପନିକ ଉପଗ୍ରହକୁ ନେଇ ପରୀକ୍ଷା କରିଥିଲେ ଏବଂ ସବୁଥିରେ ଏହାର ଉପଗ୍ରହ ଶୁକ୍ର ଉପରେ ମାଡ଼ହେଉଥିବା ଦେଖାଯାଇଥିଲା। ଷ୍ଟିଫେନ୍ କେନ୍ ଚେତାଇ ଦେଇଛନ୍ତି, ବ୍ରହ୍ମାଣ୍ଡର ଅନ୍ୟ ଗ୍ରହଗୁଡ଼ିକ ଯଦି ଦ୍ରୁତଗତିରେ ନ ଘୂରନ୍ତି, ତେବେ ସେଠାରେ ମଧ୍ୟ ଉପଗ୍ରହ ଗ୍ରହ ପୃଷ୍ଠରେ ଖସିପଡ଼ିବେ, ଯାହା ସେହି ଗ୍ରହର ସମଗ୍ର ଇତିହାସ ଓ ଜୀବନ ଧାରଣର ସମ୍ଭାବନାକୁ ସମ୍ପୂର୍ଣ୍ଣ ବଦଳାଇଦେବ।