ଭେନେଜୁଏଲା ତୈଳ

ଭନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ୮ ମାସ ତଳେ ଆମେରିକା ସେନା ଉଠାଇ ନେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ କ୍ରମେ ଏହା କରାଯାଇଥିଲା ଓ ମାଦୁରୋଙ୍କ ଉପରେ ଅଭିଯୋଗ ଅଣାଯାଇଥିଲା ଯେ, ସେ ମାଦକଦ୍ରବ୍ୟ କାରବାରକୁ ପ୍ରୋତ୍ସାହିତ କରିବା ସହ ଅବୈଧ ଅସ୍ତ୍ର ରଖିଥିଲେ। ଏହା ପରଠାରୁ ଡେଲ୍‌ସି ରୋଡ୍ରିଗେଜ୍‌ ଅନ୍ତରୀଣ ରାଷ୍ଟ୍ରପତି ଅଛନ୍ତି। ସଦ୍ୟ ଘଟଣା ହେଲା ଯେ, ୨୮ ଅଗଷ୍ଟରେ ଟ୍ରମ୍ପ୍‌ ଘୋଷଣା କରିଥିଲେ ଯେ, ଭେନେଜୁଏଲାର ୬୫ ବିଲିୟନ ବ୍ୟାରେଲ ତୈଳ ଉପରେ ଆମେରିକାର ନିୟନ୍ତ୍ରଣ ରହିବା ଦିଗରେ ଏକ ଚୁକ୍ତି ହୋଇଛି। ଆକଳନ ଅନୁଯାୟୀ ଭେନେଜୁଏଲାରେ ୩୦୩ ବିଲିୟନ ବ୍ୟାରେଲ ତୈଳ ରହିଛି। ହିସାବ ଦେଖିଲେ ଭେନେଜୁଏଲାର ସମୁଦାୟ ତୈଳର ୨୧ ପ୍ରତିଶତରୁ ଅଧିକ ସମ୍ପଦ ଉପରେ ଆମେରିକାର ନିୟନ୍ତ୍ରଣ ରହିବ। ବାସ୍ତବରେ ଏହି ଅର୍ଥହୀନ ଚୁକ୍ତିନାମା ଆମେରିକାର ତୈଳ ସଂରକ୍ଷଣକୁ ଦୁଇ ଗୁଣରୁ ଅଧିକ କରିବ ଏବଂ ଆମେରିକୀୟଙ୍କ ପାଇଁ ଗ୍ୟାସ୍‌ ମୂଲ୍ୟ ଯଥେଷ୍ଟ ହ୍ରାସ କରିବ।
କୁହାଯାଇପାରେ ଯେ, ମାଦୁରୋଙ୍କୁ ଅପହରଣ କରାଯିବା ପଛରେ ଟ୍ରମ୍ପ୍‌ଙ୍କ ମୂଳ ଲକ୍ଷ୍ୟ ପେଟ୍ରୋଲିୟମ୍‌ ପଦାର୍ଥ ଉପରେ ଥିଲା। କେବଳ ବିଶ୍ୱକୁ ଦେଖାଇବା ପାଇଁ ନିଶାଦ୍ରବ୍ୟ କାରବାର ଓ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇଥିଲେ। ମାଦୁରୋଙ୍କୁ ତାଙ୍କ ଦେଶରୁ ଉଠାଇ ନେବା ବେଳେ ଭେନେଜୁଏଲାର ସାର୍ବଭୌମତ୍ୱ ଉପରେ ପ୍ରଶ୍ନ ଉଠିଥିଲା। ହେଲେ ସେ ଦିଗରେ କୌଣସି ଅଗ୍ରଗତି ଘଟିଲା ନାହିଁ। ମାଦୁରୋ ଓ ତାଙ୍କ ସ୍ତ୍ରୀଙ୍କ ବିଷୟରେ କିଛି ସାର୍ବଜନୀନ କରାଯାଇନାହିଁ। ଏପରିକି ସେମାନଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ସମ୍ପର୍କରେ ମଧ୍ୟ କିଛି ତଥ୍ୟ ଦିଆଯାଉନାହିଁ। ଏବେ ୬୫ ବିଲିୟନ ବ୍ୟାରେଲ ତୈଳ କବ୍‌ଜା କରିବା ଲାଗି ଚୁକ୍ତି ହୋଇଥିବା ବିଷୟକୁ ଦେଖିଲେ ସେହି ସମାନ ଭାବେ ଭେନେଜୁଏଲାର ସାର୍ବଭୌମତ୍ୱ ଉପରେ ପ୍ରଶ୍ନ ଉଠିଛି। ଅନ୍ତରୀଣ ରାଷ୍ଟ୍ରପତି ଡେଲ୍‌ସି ରୋଡ୍ରିଗେଜ୍‌ ଏବଂ କେତେକ ଅନ୍ତର୍ଜାତୀୟ ନୀତି ବିଶ୍ଳେଷକ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଦାବିକୁ ବିରୋଧ କରୁଥିବା କଥା ଉଠିଛି। ମାତ୍ର ରୋଡ୍ରିଗେଜ୍‌ ନିଜ ଦେଶରେ ଏ ନେଇ ଉପୁଜିଥିବା ଅସନ୍ତୋଷରୁ ବର୍ତ୍ତିବା ପାଇଁ ଲୋକଦେଖାଣିଆ ଭାବେ ଟ୍ରମ୍ପ୍‌ଙ୍କ ଦାବିକୁ ଅସ୍ବୀକାର କରୁଛନ୍ତି। ବାସ୍ତବରେ ଦେଖିଲେ ଟ୍ରମ୍ପ୍‌ଙ୍କ ଘୋଷଣା ପରେ ରୋଡ୍ରିଗେଜ ଉକ୍ତ ଚୁକ୍ତିକୁ ପ୍ରଶଂସା କରି କହିଥିଲେ ଯେ, ଏହା ତାଙ୍କ ଦେଶର ଅର୍ଥନୈତିକ ପୁନରୁଦ୍ଧାରରେ ସହାୟକ ହେବ। ଅବଶ୍ୟ କିଛି ବିଶ୍ଳେଷକ ଏହାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଇରାନ ଯୁଦ୍ଧ ଯୋଗୁ ବୃଦ୍ଧି ପାଇଥିବା ପେଟ୍ରୋଲ ଦରକୁ ନିୟନ୍ତ୍ରଣ କରିବା ପାଇଁ ଟ୍ରମ୍ପ୍‌ ନିଜ ଦେଶ ଭିତରେ ଚାପରେ ରହିଛନ୍ତି। ତେଣୁ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ବିଶ୍ୱର ସବୁଠାରୁ ବଡ଼ ଭେନେଜୁଏଲାର ସଂରକ୍ଷିତ ତୈଳଭଣ୍ଡାରକୁ ବ୍ୟବହାର କରିବା। ମାଦୁରୋଙ୍କୁ ଗିରଫ କରାଯିବା ପରେ ତାଙ୍କ ସମୟରେ ଉପରାଷ୍ଟ୍ରପତି ଥିବା ରୋଡ୍ରିଗେଜ୍‌ ଆମେରିକା ସମର୍ଥନରେ ଅନ୍ତରୀଣ ରାଷ୍ଟ୍ରପତି ଅଛନ୍ତି। ଆମେରିକା ସହିତ ହୋଇଥିବା ଏହି ତୈଳ ଚୁକ୍ତି ୨୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଉଛି। ଏପରିକି ଏହା ଅଶୋଧିତ ତୈଳ ଉତ୍ପାଦନକୁ ଦୈନିକ ୧.୫ ମିଲିୟନ ବ୍ୟାରେଲକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିବ ଏବଂ ଏହାର ପ୍ରାକୃତିକ ସମ୍ପଦ ଉପରେ ଭେନେଜୁଏଲାର ସାର୍ବଭୌମତ୍ୱ ବଜାୟ ରହିବ ବୋଲି ରୋଡ୍ରିଗେଜ୍‌ କହିଥିଲେ ମଧ୍ୟ ଆଗକୁ ସ୍ଥିତି କ’ଣ ହେବ ଜଳ ଜଳ ଦିଶୁଛି। କାରଣ ଆମେରିକା ଥରେ ତୈଳ ଭଣ୍ଡାର ଉପରେ ନିୟନ୍ତ୍ରଣ କରିବାର ପାସ୍‌ପୋର୍ଟ ପାଇଯିବା ଅର୍ଥ କବ୍‌ଜା କରିବା ଥୟ। ଇତିମଧ୍ୟରେ ଆମେରିକା ଆକ୍ରମଣାତ୍ମକ ହୋଇ ଇରାନର ଲାରାକ୍‌ ଦ୍ୱୀପ ଉପରେ ମାଡ଼ କରିଛି। ସେହିପରି ଇରାନ ମଧ୍ୟ ଜୋର୍ଡାନରେ ଆମେରିକାର ଏୟାରବେସ୍‌ ଉପରେ ଆକ୍ରମଣ କରିଛି। ଯୁଦ୍ଧ ପୁଣି ବଢ଼ିବା ପରେ ଆଶୋଧିତ ତୈଳ ଦର ବ୍ୟାରେଲ ପିଛା ବୃଦ୍ଧି ପାଇ ୯୧.୦୯ ଆମେରିକୀୟ ଡଲାର ହୋଇଗଲାଣି। ହର୍ମୁଜ ଜଳପଥ ଉପରେ ଟ୍ରମ୍ପ୍‌ ଆଧିପତ୍ୟ ବିସ୍ତାର କରିପାରୁ ନ ଥିବାରୁ ସେ ଭେନେଜୁଏଲା ତୈଳ ଭଣ୍ଡାରକୁ ସମ୍ପୂର୍ଣ୍ଣ ଟାର୍ଗେଟ କରିଛନ୍ତି। ଶୁଣାଯାଉଥିଲା ଟ୍ରମ୍ପ୍‌ ଭେନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ମାଦୁରୋଙ୍କୁ ବିତାଡ଼ିତ କରିବା ପରେ ବିରୋଧୀ ନେତ୍ରୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମାରିଆ କୋରିନା ମାଚାଡୋଙ୍କୁ ଶାସନ ଦାୟିତ୍ୱ ଦେଇପାରନ୍ତି। କିନ୍ତୁ ଟ୍ରମ୍ପ୍‌ ଭେନେଜୁଏଲା ସରକାର ଓ ଦେଶବାସୀଙ୍କ ବିଶ୍ୱାସଭାଜନ ହେବା ଉଦ୍ଦେଶ୍ୟ ରଖି ରୋଡ୍ରିଗେଜ୍‌ଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିଲେ। ଆଶା ରଖିଥିଲେ ରୋଡ୍ରିଗେଜ୍‌ଙ୍କ ସହ ସମ୍ପର୍କ ଭଲ ରଖି ଫାଇଦା ନେବେ। ଏବେ ତାହା ଫଳପ୍ରସୂ ହେବାକୁ ଯାଉଛି।
ଆମେରିକା ଯେତେବେଳେ ଯାହା ଚାହୁଁଛି, ତାହା କରୁଥିବାରୁ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଜାତିସଂଘ ବାଧ୍ୟ ହୋଇ ଆମେରିକା ବିରୋଧରେ କଡ଼ା ପଦକ୍ଷେପ ନେଇପାରୁ ନାହିଁ। ଆମେରିକା ଅନ୍ୟ ଦେଶର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ କରି ଯେଉଁ ପ୍ରକାର ବିଶୃଙ୍ଖଳା ସୃଷ୍ଟି କରୁଛି, ତାହାକୁ ଦେଖି ସହିଯାଉଥିବା ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ଟ୍ରମ୍ପ୍‌ଙ୍କ ଭଳି ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହୋଇଚାଲିବେ।

 

Dharitri – Odisha’s No.1 Odia Daily

Share