Categories: ମେଟ୍ରୋ

ଖୁବ୍‌ଶୀଘ୍ର ଏସ୍‌ଏଚ୍‌ଜି ମହିଳାଙ୍କୁ ବଣ୍ଟାହେବ ଭେଣ୍ଡିଂଜୋନ୍‌

ଭୁବନେଶ୍ୱର,୨୭।୩ (ବ୍ୟୁରୋ): ରାଜ୍ୟ ସରକାର ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଉଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ କିପରି ସ୍ବାବଲମ୍ବୀ ହେବେ ଏବଂ ଆଗକୁ ବଢିବେ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଉଛି। ଏହି କ୍ରମରେ ଭୁବନେଶ୍ବର ମହାନଗର ନିଗମ (ବିଏମସି) ଦ୍ବାରା ଏସ୍‌ଏଚ୍‌ଜି ମହିଳାଙ୍କ ଲାଗି ଜାରି ରହିଥିବା ସ୍ବତନ୍ତ୍ର ଭେଣ୍ଡିଂ ଜୋନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ରବିବାର ମେୟର ସୁଲୋଚନା ଦାସ, ବିଏମସି ଅତିରିକ୍ତ କମିଶନର-୩ ସୁର୍ଯ୍ୟବଂଶୀ ମୟୁର ବିକାଶ ଓ ଅନ୍ୟ ବିଭାଗୀୟ ଅଧିକାରୀ, ସ୍ଥାନୀୟ କର୍ପୋରେଟର ରଶ୍ମିରଞ୍ଜନ ପାଟ୍ଟଶାଣୀ ପ୍ରମୁଖ ୱାର୍ଡ ୬୫ର କସ୍ମୋପଲିସ ଆପାର୍ଟମେଣ୍ଟ ନିକଟରେ ର୍ନିମାଣଧୀନ ଥିବା ମହିଳା ଭେଣ୍ଡିଂ ଜୋନର ସ୍ଥତି ସମୀକ୍ଷା କରିଥିଲେ। ଭେଣ୍ଡିଂ ଜୋନ ର୍ନିମାଣ ସରି ଆସିଥିବାବେଳେ ବଳକା କାମଗୁଡ଼ିକ ଯଥାଶୀଘ୍ର ଶେଷ କରାଯାଇ ଏସ୍‌ଏଚ୍‌ଜି ମହିଳାଙ୍କୁ ଆବଣ୍ଟନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ସମୟ ପ୍ରଦାନ କରାଗଲେ ବିଏମସି ଏହାକୁ କାର୍ଯ୍ୟକ୍ଷମ କରାଇବ। ଏଠାରେ ମୋଟ ୪୧ଟି ଭେଣ୍ଡିଂ ଜୋନ ରହିଛି। ଏଥିରୁ ଗୋଟିଏରେ ଅଫିସ ଚାଲିବ ବାକି ୪୦ଟିକୁ ପ୍ରଦାନ କରାଯିବ। ୩ ଜୋନର ୩୦ ଏସଏଜି ମହିଳାଙ୍କ ସହ ସୋନପୁରର କିଛି ବୁଣାକାର ଓ ଉକ୍ତ ଅଞ୍ଚଳରୁ ପୂର୍ବରୁ ଉଚ୍ଛେଦ ହୋଇଥିବା କିଛି ମହିଳାଙ୍କୁ ଏଠାରେ ସ୍ଥାନିତ କରାଯିବ ବୋଲି ସୂଚନା ଦିଆଯାଇଛି।