ଚାଷୀଙ୍କୁ ଭେଳିକି କାନପୁର ପ୍ରକଳ୍ପ

କେନ୍ଦୁଝର,୧୧ା୧(ଦୀପକ ମିଶ୍ର)କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅଞ୍ଚଳରେ ନିର୍ମାଣାଧୀନ କାନପୁର ଜଳସେଚନ ପ୍ରକଳ୍ପ ଚାଷୀଙ୍କ ପାଇଁ ଭେଳିକି ହୋଇଛି। ମୁଖ୍ୟ ଶାସନ ସଚିବ ଜିଲା ଗସ୍ତ ସମୟରେ ୨୦୨୩ ଜୁନ୍‌ରେ ପ୍ରକଳ୍ପ ନିର୍ମାଣ ଶେଷ ହୋଇ ଡିସେମ୍ବରରେ ଜମିକୁ ପାଣି ମାଡ଼ିବ ବୋଲି ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ କେନାଲ କାମ ଶେଷ ହୋଇ ନାହିଁ। ତେଣୁ ୨୦୨୪ରେ ବି ପ୍ରକଳ୍ପରୁ ଚାଷୀ ଜଳ ପାଇବେ କି ନାହିଁ ତାହା ଆଶଙ୍କାରେ ରହିଛି।
ସୂଚନାଯୋଗ୍ୟ, ଯୋଡ଼ା ବ୍ଲକ୍‌ର ବାସୁଦେବପୁରଠାରେ କାନପୁର ବୃହତ୍‌ ଜଳ ସେଚନ ପ୍ରକଳ୍ପ ନିର୍ମାଣ କାମ ଚାଲିଛି। ପ୍ରାୟ ୩୦ ବର୍ଷରୁ ଊଦ୍ଧର୍‌ବ କାମ ଚାଲିଥିବା ବେଳେ ଡ୍ୟାମ୍‌ ପାଇଁ ୧୬ ଗାଁ ବିସ୍ଥାପିତ ହୋଇଛି। ପ୍ରକଳ୍ପ ଦ୍ବାରା ଜିଲାର ୫ ବ୍ଲକ୍‌ ଯଥା ଯୋଡ଼ା, ଚମ୍ପୁଆ, ଝୁମ୍ପୁରା, ସଦର, ପାଟଣା ବ୍ଲକ୍‌ର ମୋଟ ୨୨୨ଟି ଗାଁର ୨ ଲକ୍ଷ ୪୪ ହଜାର ୫୦୦ ଚାଷୀ ଉପକୃତ ହେବେ। ପ୍ରକଳ୍ପ ଦ୍ୱାରା ମୋଟ ୨୯ ହଜାର ୫୭୮ ହେକ୍ଟର ଜମିରେ ପାଣି ମାଡ଼ିବ ବୋଲି ଯୋଜନା ରହିଛି। ୨୦୨୩ ଜାନୁଆରୀ ୨୨ରେ କାନପୁର ଗସ୍ତକରି ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଡିସେମ୍ବରରେ ଡ୍ୟାମ୍‌ରୁ ପାଣି ଜମିକୁ ମାଡ଼ିବ ବୋଲି କହିଥିଲେ। ମାତ୍ର ବର୍ତ୍ତମାନ ପରିସ୍ଥିତିରେ କଠିନ ପଥର ପଡ଼ିବା କାରଣରୁ ୧ କି.ମି. ଲମ୍ବ ପ୍ଲାଷ୍ଟିକ କଂକ୍ରିଟ  କାମରେ ବିଳମ୍ବ ହେଉଥିବା ଠିକା ସଂସ୍ଥା ପକ୍ଷରୁ କୁହାଯାଇଛି। ସେହିପରି ସ୍ପିଲ୍‌ୱେ ବ୍ଲକ୍‌ କାମ ସରିନାହିଁ। ଏହି କାମ ପାଇଁ ଆଉ କିଛି ମାସ ଲାଗିବ ବୋଲି ଆକଳନ କରାଯାଉଛି। ସେହିପରି ନିର୍ମାଣ ହେବାକୁ ଥିବା ୪୦୦ କି.ମି. ଲମ୍ବର କେନାଲରୁ ଅଦ୍ୟାବଧି ୨୫୦ କି.ମି. କାମ ଶେଷ ହୋଇଛି ବୋଲି କାନପୁର ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ପ୍ରସନ୍ନ ପାଣି ପ୍ରକାଶ କରିଛନ୍ତି। ଅପରପକ୍ଷରେ ଆଇନଗତ ଦିଗ ପାଇଁ ଜଙ୍ଗଲ ଜମିରେ ପଡୁଥିବା ପ୍ରାୟ ୧୦୦ କି.ମି. କେନାଲ କାମରେ ବିଳମ୍ବ ହେଉଛି। ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ପାଣି କହିଛନ୍ତି, ଆସନ୍ତା ବର୍ଷା ଋତୁରେ ପାଣି ଅମଳକରି ରଖାଯାଇ ଜମିକୁ ଛଡ଼ାଯିବା ଯୋଜନା ରହିଛି। ସେ କାର୍ଯ୍ୟରେ ଯୋଗଦାନ ଦିନଠାରୁ ୫ ହଜାରରୁ ଊଦ୍ଧର୍‌ବ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିଥିବା କହିଥିଲେ।