Vehicle sales in Odisha: ଓଡ଼ିଶାରେ ଧିମେଇଛି ଗାଡ଼ି ବିକ୍ରି ଗତି

ଭୁବନେଶ୍ୱର,୨୦ା୪(ଅନୁରାଧା ମହାରଣା): ଆର୍ଥିକ ବର୍ଷ ୨୦୨୪-୨୫ରେ ଦେଶରେ ମୋଟର ଯାନ ବିକ୍ରିରେ ଘରୋଇ ସ୍ତରରେ ପ୍ରାୟ ୬ ପ୍ରତିଶତର ବୃଦ୍ଧି ରେକର୍ଡ କରିଛି। ଅଟୋମୋବାଇଲ ଡିଲର୍ସ ସଂଗଠନ, ଫେଡେରେଶନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଫାଡା)ର ସୂଚନା ଅନୁସାରେ ଆର୍ଥିକ ବର୍ଷ ୨୦୨୪-୨୫ରେ ୨,୬୧,୪୩,୯୪୩ ୟୁନିଟ ରିଟେଲ ସେଲ ହୋଇଛି। ଏହି ଆର୍ଥିକବର୍ଷରେ ଓଡ଼ିଶାରେ ୮,୦୨,୧୭୯ ୟୁନିଟ୍‌ ରିଟେଲ ସେଲ ସହ ୨.୨୫ ଅଭିବୃଦ୍ଧି ରେକର୍ଡ କରାଯାଇଛି। ମାତ୍ର ଚଳିତବର୍ଷ ମାର୍ଚ୍ଚମାସରେ ରିଟେଲ ସେଲ ତଥ୍ୟ ଅନୁସାରେ ରାଜ୍ୟରେ ଗାଡ଼ିବିକ୍ରି ପରିମାଣ ଧିମେଇଛି। ୨୦୨୪ ମାର୍ଚ୍ଚ ଏବଂ ୨୦୨୫ ମାର୍ଚ୍ଚ ମାସର ରିଟେଲସେଲକୁ ତୁଳନା କଲେ ୫.୫୧% ହ୍ରାସ ଦେଖିବାକୁ ମିଳିଛି। ୨ଚକିଆ ଯାନ ବିକ୍ରି କ୍ଷେତ୍ରରେ ୬.୩୮% ହ୍ରାସ ଦେଖିବାକୁ ମିଳିଥିବାବେଳେ ୩ ଚକିଆ ଯାନ କ୍ଷେତ୍ରରେ ୧.୭୨%, କମର୍ସିଆଲ ଯାନକ୍ଷେତ୍ରରେ ସର୍ବାଧିକ ୨୬.୫୪% ହ୍ରାସ ଘଟିଛି। ପାସେଞ୍ଜର ଯାନକ୍ଷେତ୍ରରେ ୬.୪୪% ଏବଂ ଟ୍ରାକ୍ଟର ବିକ୍ରିରେ ୩୧.୨୭% ଅଭିବୃଦ୍ଧି ହୋଇଛି। ‘ବାହନ’ ତଥ୍ୟାନୁସାରେ ୨୦୨୫ ପ୍ରଥମ ତ୍ରୈମାସରେ ୪୫ଟି ବର୍ଗରେ ୨,୧୧,୩୧୩ ୟୁନିଟ୍‌ ଯାନ ବିକ୍ରି ହୋଇଛି। ୨୦୨୪ର ପ୍ରଥମ ତ୍ରୈମାସର ତଥ୍ୟ ଅନୁସାରେ ୫୦ବର୍ଗର ୨,୨୫,୫୩୫ ୟୁନିଟ୍‌ ଏବଂ ୨୦୨୩ର ପ୍ରଥମ ତ୍ରୈମାସରେ ୫୩ ବର୍ଗର ୧୯୯୦୧୪ ୟୁନିଟ୍‌ ଯାନ ବିକ୍ରି ହୋଇଥିଲା। ସମସ୍ତ ତଥ୍ୟକୁ ବିଶ୍ଳେଷଣ କରି ଅଟୋମୋବାଇଲ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି ବିଶେଷ ନିଜ ନିଜର ମତାମତ ରଖିଛନ୍ତି।

ଚାର୍ଜିଂ ଷ୍ଟେଶନ ଭଳି ଭିତ୍ତିଭୂମିର ଅଭାବ
ବିବାହ ଋତୁରେ ଗାଡ଼ି ବଜାର ଭଲ ପ୍ରଦର୍ଶନ କରିଥାଏ। ମାତ୍ର ଚଳିତବର୍ଷ ଏହା ଭଲ ପରିଦର୍ଶନ କରିନାହିଁ। ଯଦିଓ ପ୍ରିମିୟମ୍‌ ସେଗମେଣ୍ଟରେ ସେପରି ପ୍ରଭାବ ପଡ଼ିନାହିଁ ବର୍ତ୍ତମାନ ଲୋୟର ସେଗମେଣ୍ଟରେ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି। ଯୁବପିଢ଼ି ବିଶେଷ କରି ସହରାଞ୍ଚଳ ଗ୍ରାହକ ବର୍ତ୍ତମାନ ବର୍ତ୍ତମାନ ୧୦୦ରୁ ୧୫୦ ସିସି ଦୁଇ ଚକିଆ ଯା ପରିବର୍ତ୍ତେ ସେମାନେ ଇଭି ସ୍କୁଟର ବ୍ୟବହାର କରିବାକୁ ଚାହୁଁଛନ୍ତି। ଚାରିଚକିଆ ଯାନ ପାଇଁ ଚାର୍ଜିଂ ଷ୍ଟେଶନ ଭଳି ଭିତ୍ତିଭୂମିର ଅଭାବ ରହିଛି। ମାତ୍ର ଦୁଇଚକିଆ ଇଭି ସ୍କୁଟର କ୍ଷେତ୍ରରେ ସେପରି ସମସ୍ୟା ନାହିଁ। ଦୁଇଚକିଆ ଯାନ ଚଳାଉଥିବା ଅଧିକାଂଶ ଲୋକ ଦିନକୁ ୭୦ରୁ ୮୦ କିଲୋମିଟର ଯାତ୍ରା କରିଥା’ନ୍ତି। ତେଣୁ ଏଥିପାଇଁ ନିଜ ଘରେ ଥରେ ଇଭି ସ୍କୁଟର ଚାର୍ଜ କରି ସେ ଯାତ୍ରା କରିପାରନ୍ତି। ସେହିପରି ସହରାଞ୍ଚଳରେ ବିଶେଷ ସମସ୍ୟା ନାହିଁ ମାତ୍ର ଗ୍ରାମାଞ୍ଚଳରେ ଦୁଇଚକିଆ ଯାନ ବିକ୍ରି କ୍ଷେତ୍ରରେ ବ୍ୟବସାୟ ବିସ୍ତାର କରିବାରେ ଏବେ ଅନେକ ଆହ୍ବାନ ରହିଛି।
– ମନସୁର ବକ୍ସ, ପରିଚାଳନା ନିର୍ଦ୍ଦେଶକ, ଏମ୍‌ଏସ୍‌ବି ବଜାଜ୍‌, ଭୁବନେଶ୍ୱର
ଗ୍ରାମୀଣ ଅଞ୍ଚଳରେ ଚାହିଦା ବୃଦ୍ଧି ଜରୁରୀ
ଅଟୋ ଶିଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରୁଛି ଯେଉଁଠାରେ ଅଭିବୃଦ୍ଧିକୁ ରଣନୈତିକ ସତର୍କତା ସହିତ ସ୍ଥିର କରାଯିବା ଆବଶ୍ୟକ। ଆଗାମୀ ଦିନରେ ଏହି ଏହି କ୍ଷେତ୍ରରେ ଅଭିବୃଦ୍ଧି ପାଇ ଗ୍ରାମୀଣ ଏବଂ ଅର୍ଦ୍ଧସହରାଞ୍ଚଳରେ ଚାହିଦା ବୃଦ୍ଧି କରିବା ଜରୁରୀ। ସେହିପରି ବୈଦ୍ୟୁତିକ ଯାନ ଭିତ୍ତିଭୂମକୁ ସୁଦୃଢ଼ କରାଯିବାର ଆବଶ୍ୟକତା ରହିଛି। ଇନଭେଣ୍ଟରୀ ଏବଂ ରିଟେଲ ଷ୍ଟ୍ରାଟେଜି କାର୍ଯ୍ୟକାରୀ କରିବା ସହ ବାସ୍ତବବାଦୀ ବ୍ୟବସାୟ ଯୋଜନା ପାଇଁ ଓଇଏମ୍‌-ଡିଲର ସହଭାଗୀତାକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ଅଟୋମୋବାଇଲ ଶିଳ୍ପ କ୍ଷେତ୍ରର ପୁନରୁଦ୍ଧାର ପାଇଁ ବିଶେଷକରି ବ୍ୟକ୍ତିଗତ ଅଟୋମୋବାଇଲ କ୍ଷେତ୍ରରେ ଗଠନାମତ୍କ ପରିବର୍ତ୍ତନ ପାଇଁ ସମୟ, ନିବେଶ ଏବଂ ସମନ୍ବିତ କାର୍ଯ୍ୟର ଗୁରୁତ୍ୱ ରହିଛି। ଗ୍ରାହକଙ୍କ ଚାହିଦା ପୂରଣ ପାଇଁ ସମୋୟଚିତ ପଦକ୍ଷେପ, ଉତ୍ତମ ବ୍ୟବସାୟିକ ରଣନୀତି ଭାରତୀୟ ଅଟୋମୋବାଇଲ ଶିଳ୍ପ ଏହି ପରିବର୍ତ୍ତନକୁ ବୃଦ୍ଧି କରିପାରିବ ଏବଂ ୨୦୨୫-୨୬ ଆର୍ଥିକ ବର୍ଷଠାରୁ ଏହି କ୍ଷେତ୍ର ଅଧିକ ଶକ୍ତିଶାଳୀ ହୋଇ ଉଭା ହୋଇପାରିବ।
– ସମଶେର ସିଂ ହୁରା, ସିଇଓ ଏବଂ ପ୍ରତିଷ୍ଠାତା, ଜାଶ୍‌ ମୋଟସର୍ସ ,ସମ୍ବଲପୁର
କମର୍ସିଆଲ ଯାନ ବଜାର ମାନ୍ଦା ପଡ଼ିଛି
କମର୍ସିଆଲ ଯାନ କ୍ଷେତ୍ରରେ ଓଡ଼ିଶା ବଜାର ଟିକେ ମାନ୍ଦା ପଡ଼ିଛି । ନୂଆ ସରକାର ଗଠନ ହୋଇଥିବାରୁ ଏଦିଗରେ ପ୍ରୋସତ୍ାହନ ପ୍ରଦାନ ନେଇ ରାଜ୍ୟ ସରକାର ବର୍ତ୍ତମାନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଯୋଜନାକୁ ରୂପରେଖ ଦେବାରୋ ସାମାନ୍ୟ ବିଳମ୍ବ ହୋଇପାରେ ମାତ୍ର ଆଗକୁ ୫୦ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ଆଶା କରାଯାଉଛି। କମର୍ସିଆଲ ଯାନ ବିକ୍ରି କ୍ଷେତ୍ରରେ ଗ୍ରାମାଞ୍ଚଳ କିମ୍ବା ସହରାଞ୍ଚଳରେ କିଛି ପାର୍ଥକ୍ୟ ନାହିଁ। ଯେଉ
ଠାରେ ଶିଳ୍ପ ରହିଛି ସେଠାରେ ଏହି ବର୍ଗର ଯାନ ବିକ୍ରି ହେବ। ନିକଟରେ ରାଜ୍ୟ ସରକାର ଅନେକ ଶିଳ୍ପାନୁଷ୍ଠାନ ସହ ଚୁକ୍ତି କରିଛନ୍ତି। ତେଣୁ ରାଜ୍ୟରେ ଶିଳ୍ପ ଯେତେ ସୁଦୃଢ଼ ହେବ କମର୍ସିଆଲ ଯାନ ବିକ୍ରିର ପରିମାଣ ମଧ୍ୟ ବଢ଼ିବ। ମୋ ଜାଣିବାରେ କମ ଟନେଜ ପରିବହନ କରୁଥିବା ଯାନ ତୁଳନାରେ ଅଧିକ ଟନେଜ ପରିବହନ କରୁଥିବା ଯାନ ସଂଖ୍ୟା ବୃଦ୍ଧି ପାଇଛି। ଏହାର ମୁଖ୍ୟ କାରଣ ହେଉଛି ଭଲ ରାସ୍ତା, କମ ମୂଲ୍ୟ ଏବଂ ବଜାରରେ ଅଧିକ ମୂଲ୍ୟରେ ବିକ୍ରି ହେଉଥିବା ସାମଗ୍ରୀ। ପୂର୍ବରୁ ନବାଗତଙ୍କ ପାଇଁ ଋଣ ପାଇବା କଷ୍ଟସାଧ୍ୟ ଥିଲାବେଳେ ଏହା ବର୍ତ୍ତମାନ ସହଜ ହୋଇଯାଇଛି।
– ବିମଳେନ୍ଦୁ ମହାନ୍ତି, ଏମଡି, ତୃପ୍ତି ଗ୍ରୁପ୍‌, କଟକ
ପୂର୍ବ ବର୍ଷର ଚାହିଦା ହ୍ରାସର ପ୍ରଭାବ ପଡିଛି
ଆର୍ଥିକ ବର୍ଷ ଶେଷ ପୂର୍ବରୁ ମୂଲ୍ୟହ୍ରାସ ଭତ୍ତାରୁ ଲାଭ ଉଠାଇବା ଏବଂ ଏପ୍ରିଲର ମୂଲ୍ୟ ବୃଦ୍ଧିର ଲାଭ ଉଠାଇବା ପାଇଁ କର୍ପୋରେଟ ଏବଂ ବ୍ୟକ୍ତିଗତ କ୍ରୟ ବଢ଼ିଥାଏ। ତେବେ ୨୦୨୫ ମାର୍ଚ୍ଚରେ ଅଧିକ ରିହାତି ଏବଂ ସାମଗ୍ରୀ ଚାପ ଏବଂ ଦୁର୍ବଳ ଗ୍ରାମୀଣ ଭାବନା କାରଣରୁ ଏହି ସେଗମେଣ୍ଟରେ ସାମାନ୍ୟ ଅଭିବୃଦ୍ଧି ଘଟିଥିଲା । ପର୍ବପର୍ବାଣୀ ବୃଦ୍ଧି ସତ୍ତ୍ୱେ ବଜାରରେ ଅନିଶ୍ଚିତତା ଏବଂ ଆଇସିଇ ସେଗମେଣ୍ଟରେ କୌଣସି ବଡ଼ ଉତ୍ପାଦ ଉନ୍ମୋଚନ ମଧ୍ୟ ସ୍ଥିର ଚାହିଦା ଦେଇନଥିଲା ଏବଂ ପୂର୍ବ ବର୍ଷର ଚାହିଦା ହ୍ରାସ ଯୋଗୁଁ ଚଳିତ ବର୍ଷ ଅଭିବୃଦ୍ଧି ହ୍ରାସ ପାଇଛି। ତେବେ ଏସୟୁଭିର ପ୍ରବଳ ଚାହିଦା ରହିଛ। ବଜାର ଏହି ସେଗମେଣ୍ଟରେ ଚାହିଦାକୁ ସମର୍ଥନ ଜାରି ରଖିଛି। ଟୋୟୋଟା ସହିତ ଆମେ ହାଇରାଇଡରରେ ଦୃଢ଼ ଚାହିଦା ଦେଖୁଛୁ । ଏହା ବହୁତ ସକାରାତ୍ମକ ପ୍ରଭାବ ପକାଇଛି। ସରକାରୀ ପ୍ରୋତ୍ସାହନ ୨ ଚକିଆ ସେଗମେଣ୍ଟରେ ଇଭି ବିକ୍ରିକୁ ଯଥେଷ୍ଟ ବୃଦ୍ଧି କରିଛି। ମାତ୍ର ମୋ ଜାଣିବାରେ ଅଭିବୃଦ୍ଧିକୁ ବଜାୟ ରଖିବା ପାଇଁ ଓଡ଼ିଶାରେ ଚାର୍ଜିଂ ଷ୍ଟେଶନ ଭିତ୍ତିଭୂମିକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ସରକାର ଉତ୍ତରପ୍ରଦେଶ ପରି ଅନ୍ୟ ରାଜ୍ୟଦ୍ୱାରା ଗ୍ରହଣ କରାଯାଇଥିବା ହାଇବ୍ରିଡ ମଡେଲ ଉପରେ ସମାନ ପ୍ରୋତ୍ସାହନ ପ୍ରଦାନ କରିବା ଉଚିତ୍‌। ବିକ୍ରୟ ଚାହିଦା, ସୁଧ ହାର, ମୌସୁମୀ, ନୂତନ ଉତ୍ପାଦ ଉନ୍ମୋଚନ ଇତ୍ୟାଦି ଅନେକ କାରଣ ଉପରେ ନିର୍ଭର କରେ, ମାତ୍ର ଏ କ୍ଷେତ୍ରରେ ମୁଁ ଖୁବ୍‌ ଆଶାବାଦୀ ଅଛି। ଇଣ୍ଡଷ୍ଟ୍ରି ପ୍ରିମିୟମ ବୈଶିଷ୍ଟ୍ୟ ଏବଂ ଏସୟୁଭି ଉପରେ ଧ୍ୟାନ ଦେଇ ଭଲ୍ୟୁମ ଅଭିବୃଦ୍ଧିରୁ ମୂଲ୍ୟ ଭିତ୍ତିକ ଅଭିବୃଦ୍ଧିକୁ ପରିବର୍ତ୍ତନ କରିବ।
– ସିଦ୍ଧାର୍ଥ ଗର୍ଗ, ନିର୍ଦ୍ଦେଶକ, ଗର୍ଗସନ ଗ୍ରୁପ୍‌, ଭୁବନେଶ୍ୱର
ସ୍କ୍ରାପେଜ ନୀତି କଡ଼ାକଡ଼ି ହେବା ଜରୁରୀ
କୋଭିଡ ପରେ ଓଡ଼ିଶାରେ ଅଟୋମୋବାଇଲ କ୍ଷେତ୍ରର ପ୍ରାରମ୍ଭିକ ଚାହିଦା ବଢ଼ିବା ପରେ ଅଭିବୃଦ୍ଧିରେ ସ୍ଥିରତା ଦେଖାଦେଇଛି। ଏହାପଛରେ ଅନେକ କାରଣ ରହିଛି। ନୂଆ ସରକାର ଗଠନ ସହିତ ଓଡ଼ିଶାର ରାଜନୈତିକ ସ୍ଥିତି ସମ୍ପୂର୍ଣ୍ଣ ରୂପେ ସରଗରମ ହୋଇଛି । ଯାହାର ପରିଣାମ ସ୍ବରୂପ ନୀତି ର୍ନିଦ୍ଧାରଣ ହାର୍‌, ଭିତ୍ତିଭୂମି ବିକାଶ ଏବଂ ଖର୍ଚ୍ଚ ପାଇଁ ପାଣ୍ଠି ଆବଣ୍ଟନ ମନ୍ଥର ହୋଇଛି। ଗତ କିଛି ବର୍ଷ ମଧ୍ୟରେ ସୁଧ ହାରରେ କ୍ରମାଗତ ବୃଦ୍ଧି ଘଟିଛି, ଯାହାଫଳରେ କ୍ରୟ ମୂଲ୍ୟ ଅଧିକ ହେବ। ଏହି ଉତ୍ପାଦଗୁଡିକ ପାଇଁ ଆର୍ଥିକ ବ୍ୟବସ୍ଥାକୁ କଡ଼ାକଡ଼ି କରିବା। ବିଶେଷ କରି ୪ ଚକିଆ ଓ ୩ ଚକିଆ ଯାନ ବଜାରରେ ଇଭି ଯାନରେ ପରିଣତ ହେବା ନେଇ ଏକ ପ୍ରକାର ଦ୍ୱନ୍ଦ୍ୱ ରହିଛି। ଭିତ୍ତିଭୂମି ପାଣ୍ଠି ଉପରେ ଗୁରୁତ୍ୱ ଦେବା, ସଡ଼କ ଓ ଖଣି ଠିକା ପୁନଃ ଆରମ୍ଭ କରିବା, ଯାହା ଉଭୟ ବାଣିଜ୍ୟିକ ଏବଂ ବ୍ୟକ୍ତିଗତ ଭାବେ ୪ ଚକିଆ ଚାହିଦାକୁ ବଢ଼ାଇବ। ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ସ୍କ୍ରାପେଜ ନୀତିକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ। ଇଭି କ୍ଷେତ୍ରକୁ ଅଭିବୃଦ୍ଧିରେ ସାହାଯ୍ୟ କରିବା ପାଇଁ, ବିଭିନ୍ନ ସୁବିଧା ପ୍ରଦାନପୂର୍ବକ ରାଜ୍ୟ ସରକାରଙ୍କ ତରଫରୁ ଏକ ର୍ନିଦ୍ଦିଷ୍ଟ ପ୍ରୋତ୍ସାହନର ଆବଶ୍ୟକତା ରହିଛି।
ବ୍ରିଜେଶ ମେହେର, ପରିଚାଳନା ନିର୍ଦ୍ଦେଶକ, ମିନର୍ଭା ଅଟୋମୋବାଇଲ, ବଲାଙ୍ଗିର
ସେଡାନ ସେଗମେଣ୍ଟରେ ଚାହିଦା କମୁଛି
ମାର୍ଚ୍ଚ ମାସ ରିପୋର୍ଟକୁ ଅନୁଧାନ କଲେ ଜଣାପଡ଼ୁଛି ଓଡ଼ିଶାରେ ୨ଚକିଆ ଯାନ ବିକ୍ରି କ୍ଷେତ୍ରରେ ୬.୩୮ ପ୍ରତିଶତ ହ୍ରାସ ଘଟିଛି। ମାତ୍ର ପାସେଞ୍ଜର ଗାଡ଼ି କ୍ଷେତ୍ରରେ ୬.୪୪% ଅଭିବୃଦ୍ଧି ଦେଖିବାକୁ ମିଳିଛି। ତେବେ ଜାତୀୟ ସ୍ତରରେ କମ୍ପାକ୍ଟ ଏସୟୁଭିର ଚାହିଦା ଦେଖିବାକୁ ମିଳୁଛି। ୫୦%ରୁ ଅଧିକ ଗ୍ରାହକ ଏହି ସେଗମେଣ୍ଟକୁ ବାଛିଛନ୍ତି । ଓଡ଼ିଶାରେ ମଧ୍ୟ ଏହି ଧାରା ପ୍ରତିଫଳିତ ହେଉଛି, ଯେଉଁଠାରେ କମ୍ପ୍ୟାକ୍ଟ ଏସ୍ୟୁଭି ଗ୍ରାହକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ପୂର୍ବରୁ ଭାରତୀୟ ଅଟୋମୋବାଇଲ ବଜାରରେ ଏକ ପ୍ରଭାବଶାଳୀ ସ୍ଥାନ ରେ ଥିବା ସେଡାନ ସେଗମେଣ୍ଟରେ ଏବେ ଉଲ୍ଲେଖନୀୟ ହ୍ରାସ ଦେଖିବାକୁ ମିଳୁଛି। ପ୍ରମୁଖ ଓଇଏମ ଗୁଡ଼ିକ ଧୀରେ ଧୀରେ ଏହି ବର୍ଗରୁ ଦୂରେଇ ଯାଉଛନ୍ତି, ସାମଗ୍ରିକ ବ୍ରାଣ୍ଡଗୁଡ଼ିକ ବର୍ତ୍ତମାନ ସମୁଦାୟ ୩ରୁ ୪ଟି ସେଡାନ ମଡେଲ ପ୍ରଦାନ କରୁଛନ୍ତି। ତେଣୁ ବିଶେଷ କରି ସେଡାନ ବର୍ଗରେ ଆଉ ଇନଭେଣ୍ଟୋରୀ ଲେଭେଲ ନାହିଁ। ବୈଦ୍ୟୁତିକ ଯାନ(ଇଭି) ଗ୍ରହଣରେ ଯଥେଷ୍ଟ ଅଭିବୃଦ୍ଧି ଏବଂ ଚାର୍ଜିଂ ଭିତ୍ତିଭୂମି ଏବଂ ପ୍ରୋତ୍ସାହନ ବୃଦ୍ଧି ପାଇଁ ପ୍ରୟାସ ଜାରି ରହିଥିବାରୁ ଓଡ଼ିଶା ବିଶେଷକରି ଭୁବନେଶ୍ୱର ଏକ ଆଶାଜନକ ମାର୍ଗରେ ଗତି କରୁଛି। ଏହି ଗତିକୁ ବଜାୟ ରଖିବା ଏବଂ ଦୀର୍ଘମିଆଦୀ ସ୍ଥାୟୀତା ଲକ୍ଷ୍ୟ ହାସଲ କରିବା ପାଇଁ ଚାର୍ଜିଂ ସୁବିଧା ଏବଂ ଜନସଚେତନତା କ୍ଷେତ୍ରରେ ନିରନ୍ତର ପୁଞ୍ଜିନିବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ମୋଟାମୋଟି ଭାବେ ସହରରେ ଇଭିର ଅଭିବୃଦ୍ଧି ଓ ବଜାର ଅଂଶ ବୃଦ୍ଧି ପାଉଛି।
– ପ୍ରଦୀପ ଅଗ୍ରଓ୍ବାଲ, ଟ୍ରେଜେରର, ଫାଡା
ଅଧିକ ଗବେଷଣା ଜରୁରୀ
ଅଟୋମୋବାଇଲ କ୍ଷେତ୍ରରେ ଅଭିନବତାର ଅଭାବ କାରଣରୁ ଅଟୋମୋବାଇଲ କ୍ଷେତ୍ର କିଛି ପରିମାଣରେ ପଛାଇଯାଇଛି। ପାଶ୍ଚାତ୍ୟ ଦେଶତୁଳନାରେ ଅଟୋମୋବାଇଲ କ୍ଷେତ୍ରରେ ଆମକୁ ଅଧିକ ଗବେଷଣା ଏବଂ ବିକାଶର ଆବଶ୍ୟକତା ରହିଛି। ସେହପରି ଟିକସ ହ୍ରାସ ଦ୍ୱାରା ଉଚ୍ଚ ଅଭିବୃଦ୍ଧି ହୋଇପାରେ। ଉତ୍ତମ ସ୍କ୍ରାପେଜ ବୋନସ ମଧ୍ୟ ଅଟୋମୋବାଇଲ ଶିଳ୍ପକୁ ପ୍ରୋତ୍ସାହିତ କରିପାରିବ ବୋଲି ଆଶା କରୁଛି।
– ପବନ କୁମାର ସୁଲତାନିଆ, ପରିଚାଳନା ନିର୍ଦ୍ଦେଶକ, ଇନଫିନିଟି ଭେଞ୍ଚର, ଝାରସୁଗୁଡ଼ା
ଗ୍ରାମୀଣ ଚାହିଦା ଦୁର୍ବଳ ହୋଇଛି
ଭାରତୀୟ ଅଟୋମୋବାଇଲକ୍ଷେତ୍ର ବିଫଳ ହୋଇନାହିଁ, ବରଂ ଅନେକ ପରସ୍ପର ସହ ଜଡ଼ିତ ଆହ୍ବାନ କାରଣରୁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଏବଂ ସାମୟିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଅର୍ଥନୈତିକ ମାନ୍ଦାବସ୍ଥା ଏବଂ ନିମ୍ନ ଉପଭୋକ୍ତା ଭାବନା, କୋଭିଡ ପରବର୍ତ୍ତୀ ଆର୍ଥିକ ଚାପ, ମୁଦ୍ରାସ୍ଫୀତି ଏବଂ ଆୟରେ ଅନିଶ୍ଚିତତା କ୍ରୟ ପରିମାଣ ହ୍ରାସ କରିଛି। ୨ ଚକିଆ ଓ କ୍ଷୁଦ୍ର ଯାନ ବିକ୍ରିର ଏକ ମଜଭୁତ ସ୍ତମ୍ଭ ଭାବେ ପରିଚିତ ଗ୍ରାମୀଣ ଚାହିଦା ଦୁର୍ବଳ ହୋଇଛି। ଇଭି ଏବଂ ନିୟାମକ ଚାପରେ ପରିବର୍ତ୍ତନ, ସମ୍ପୂର୍ଣ୍ଣ ଭିତ୍ତିଭୂମି ପ୍ରସ୍ତୁତି ବିନା ହଠାତ୍‌ ଇଲେକ୍ଟ୍ରିକ ଯାନ (ଇଭି)ର ପ୍ରବେଶ ଦ୍ୱାରା କ୍ରେତାମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ବାରମ୍ବାର ନିୟାମକ ପରିବର୍ତ୍ତନ ଯୋଗୁଁ ଗାଡିର ମୂଲ୍ୟ ବୃଦ୍ଧି ପାଇଥିଲା। ସେହିପରି ସେମିକଣ୍ଡକ୍ଟର ଅଭାବ, କଞ୍ଚାମାଲ ମୂଲ୍ୟ ବୃଦ୍ଧି ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳା ବିଳମ୍ବ ଉତ୍ପାଦନ ସମୟସୀମାକୁ ପ୍ରଭାବିତ କରିଛି । ତୈଳ ଦର ବୃଦ୍ଧି, ବୀମା ପ୍ରିମିୟମ, ପଞ୍ଜୀକରଣ ଶୁଳ୍କ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ମାଲିକାନାକୁ ପ୍ରଭାବିତ କରିଛି। ସହରୀ ଯୁବପିଢ଼ି ମାଲିକାନା ଅପେକ୍ଷା ଅଂଶୀଦାର ଗତିଶୀଳତା (ଓଲା, ଉବର) ପସନ୍ଦ କରନ୍ତି। ଆଇସିଇ ଏବଂ ଇଭିକୁ ସମାନ୍ତରାଳ ଭାବରେ ପ୍ରୋତ୍ସାହିତ କରି ଟିୟର ୨/୩ ବଜାରରେ ଆଇସିଇ ଏବେ ବି ପ୍ରାସଙ୍ଗିକତା ରଖିଛି। ସବ ସିଡି/ପ୍ରୋତ୍ସାହନ କେବଳ ଇଭିରେ ସୀମିତ ରହିବା ଉଚିତ ନୁହେଁ।
ମନୋରଞ୍ଜନ ଦାସ, ପରିଚାଳନା ନିର୍ଦ୍ଦେଶକ, ପିଏମଜି ମୋଟର୍ସ, କଟକ
ବଜାର ସ୍ଥିରତା ପାଇଁ ସତର୍କତା ଜରୁରୀ
ବର୍ତ୍ତମାନର ବିଶ୍ୱ ପରିବେଶ ନିଶ୍ଚିତ ଭାବରେ ଅନିଶ୍ଚିତତା ଦେଇ ଗତି କରୁଛି, ଯାହା ଫଳରେ ବାଣିଜ୍ୟ ଏବଂ ନିବେଶକୁ ପ୍ରଭାବିତ କରୁଥିବା ଭୂରାଜନୈତିକ ଉତ୍ତେଜନା ଏବଂ ଏଆଇ ସମନ୍ବିତ ଚାକିରି ସୁରକ୍ଷା ବିଷୟରେ ଚିନ୍ତା ସୃଷ୍ଟି କରୁଛି। ବିଶେଷକରି କାର ପରି ବଡ଼ କ୍ରୟ ସହିତ ସତର୍କ ଗ୍ରାହକ ଆଚରଣ, ଷ୍ଟକ ଏକ୍ସଚେଞ୍ଜରେ କରାଯାଇଥିବା ନିବେଶରେ ଅନିଶ୍ଚିତତା, ଇଏମଆଇ (ମାସିକ କିସ୍ତି) ପ୍ରତି ପ୍ରତିଶ୍ରୁତିବଦ୍ଧ ହେବାରେ ସଂକୋଚ ଏହି ଅନିଶ୍ଚିତତାକୁ ପ୍ରତିଫଳିତ କରୁଛି। ଉନ୍ନତ ଇଭି (ବୈଦ୍ୟୁତିକ ଯାନ) ବିକଳ୍ପ, ପୁଞ୍ଜି କ୍ରୟକୁ ସ୍ଥଗିତ ରଖିବା ଏବଂ ବଜାରରେ ଅଧିକ ସ୍ଥିରତା ଏବଂ ସ୍ପଷ୍ଟତା ନଆସିବା ପର୍ଯ୍ୟନ୍ତ ଏହି ସତର୍କ ଆଭିମୁଖ୍ୟ ଜାରି ରହିବାର ସମ୍ଭାବନା ଅଛି।
– ଅଖିଳ ପୋଦ୍ଦାର, ଚେୟାରପର୍ସନ, ଫାଡା, ଓଡ଼ିଶା
ପାରମ୍ପରିକ ଯାନକୁ ପ୍ରୋତ୍ସାହନ ମିଳୁ
ଅର୍ଥନୈତିକ ମାନ୍ଦାବସ୍ଥା, ଉପଭୋକ୍ତା କ୍ରୟ ଶକ୍ତି ହ୍ରାସ, ଚାକିରି ଅନିଶ୍ଚିତତା ଏବଂ ସାମଗ୍ରିକ ଅର୍ଥନୈତିକ ଚାପ ଯୋଗୁଁ ଗାଡ଼ି ଭଳି ବଡ଼ ବଡ଼ ଜିନିଷ ଉପରେ ଉପଭୋକ୍ତା ଖର୍ଚ୍ଚ ହ୍ରାସ ପାଇଛି। କୋଭିଡ-୧୯ର ପ୍ରଭାବ, ବଢ଼ୁଥିବା ଗାଡ଼ି ଦର ସହ ଇଲେକ୍ଟ୍ରିକ ଯାନ (ଇଭି)କୁ ଗ୍ରହଣ ପ୍ରତି ଉଦ୍ୟମ ଜାରି ରହିଥିବାରୁ ଯାନବିକ୍ରି କ୍ଷେତରେ ମାନ୍ଦାବସ୍ତା ଦେଖିବାକୁ ମିଳିଛି। ସରକାର ଉଭୟ ଇଭି ଏବଂ ପାରମ୍ପରିକ ଯାନ ବର୍ଗରେ ପ୍ରୋତ୍ସାହନ ପ୍ରଦାନ କରିବା ଉଚିତ୍‌ । ଯାନବାହନ ଉପରେ ଅସ୍ଥାୟୀ ଜିଏସଟି ହ୍ରାସ ଚାହିଦା ବଢ଼ାଇପାରେ। ଇଭି ଇକୋସିଷ୍ଟମକୁ ମଜବୁତ କରିବାକୁୂ ମଧ୍ୟ ପଡ଼ିବ। ଚାର୍ଜିଂ ଷ୍ଟେସନ, ବ୍ୟାଟେରୀ ସ୍ବାପିଂ ଏବଂ ଇଭି ଯନ୍ତ୍ରାଂଶର ସ୍ଥାନୀୟ ଉତ୍ପାଦନ ପରି ଇଭି ଭିତ୍ତିଭୂମିର ଦ୍ରୁତ ବିକାଶ ଉପଭୋକ୍ତାଙ୍କ ଦ୍ୱିଧାକୁ ହ୍ରାସ କରିବ। ସେହିପରି ଗ୍ରାମୀଣ ଭାରତରେ ସ୍ବତନ୍ତ୍ର ଆର୍ଥିକ ଯୋଜନା, ସବସିଡି ପ୍ରଦାନ ଦ୍ୱାରା ଦୁଇ ଚକିଆ ଯାନ ଏବଂ କାର ବିକ୍ରିକୁ ପ୍ରୋତ୍ସାହିତ କରିବାରେ ସହାୟକ ହୋଇପାରିବ। ପରିବର୍ତ୍ତିତ ଅଟୋ ଲ୍ୟାଣ୍ଡସ୍କେପ ସହିତ ଖାପ ଖୁଆଇବା ପାଇଁ କ୍ଷୁଦ୍ର ଯୋଗାଣକାରୀମାନଙ୍କୁ କ୍ରେଡିଟ ଏବଂ ବୈଷୟିକ ସହାୟତାର ଆବଶ୍ୟକତା ରହିଛି। ଏହାସହ ଏନବିଏଫସିର ପୁନରୁଦ୍ଧାର ଏବଂ ନମନୀୟ ଋଣ ଯୋଜନା ନିମ୍ନ ଏବଂ ମଧ୍ୟମ ଆୟ କାରୀ କମ୍ପାନୀକୁ ସାହାଯ୍ୟ କରିପାରିବ।
– ଆଦର୍ଶ ଧାଓ୍ବନ, ନିର୍ଦ୍ଦେଶକ, ସେଣ୍ଟ୍ରାଲ ଏମଜି ଆଣ୍ଡ୍‌ ସେଣ୍ଟ୍ରାଲ ବିଓ୍ବାଇଡି, ଭୁବନେଶ୍ୱର
ହାଇବ୍ରିଡ୍‌ ଗାଡ଼ିକୁ ପ୍ରୋସତ୍ାହନ ଆବଶ୍ୟକ
ଉତ୍ତରପ୍ରଦେଶ ସରକାର ଯେଉଁଭଳି ଯୋଜନା ଆଣୁଛନ୍ତି ସେପରି ଯୋଜନା ଓଡ଼ିଶାରେ ଲାଗୁ କରାଗଲେ ଯାନବାହାନ ଶିଳ୍ପ ଅଗ୍ରଗତି କରିବ। ଛତିଶଗଡ଼ ସରକାର ମଧ୍ୟ ଯାନାବହାନ ବାହାନ ଶିଳ୍ପକୁ ପ୍ରୋସତ୍ାହିତ କରିବା ପାଇଁ ସଡ଼କ ଟିକସର ୫୦ପ୍ରତିଶତ ବ୍ୟୟ କରୁଛନ୍ତି। ଏପରି ପଦକ୍ଷେପ ସାରା ଓଡ଼ିଶାରେ ଗ୍ରହଣ କରାଯିବା ଉଚିତ। ସେହିପରି ସ୍ବତନ୍ତ୍ର ସବସିଡି ବନ୍ଦୋବସ୍ତ ମଧ୍ୟ ଜରୁରୀ। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ହାଇବ୍ରିଡ୍‌ ଗାଡ଼ିକୁ ସରକାର ପ୍ରୋସତ୍ାହିତ କରୁଛନ୍ତିି। ସମାନ ଧାରା ଓଡ଼ିଶାରେ ଲାଗୁହେଲେ ଅଭିବୃଦ୍ଧି ସୁନିଶ୍ଚିତ ହେବ।
– ପୁରୁଷୋତ୍ତମ ବୁଦ୍ଧରାଜା, ପରିଚାଳନା ନିର୍ଦ୍ଦେଶକ, ନାରାୟଣୀ ମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌
ଭିତ୍ତିଭୂମି ବିକାଶ ଗ୍ରାହକଙ୍କ ଆତ୍ମବିଶ୍ୱାସ ବଢ଼ାଉଛି
ବିଶେଷ କରି ଦୁଇ ଚକିଆ ଓ କମ୍ପାକ୍ଟ ଚାରି ଚକିଆ ଯାନ କ୍ଷେତ୍ରରେ ଭୁବନେଶ୍ୱରରେ ଇଲେକ୍ଟ୍ରିକ ଯାନ ବିକ୍ରି ଗତ ବର୍ଷକ ମଧ୍ୟରେ ଉଲ୍ଲେଖନୀୟ ବୃଦ୍ଧି ପାଇଛି। ସରକାରୀ ପ୍ରୋତ୍ସାହନ ଏବଂ ସହରରେ ଚାର୍ଜିଂ ଭିତ୍ତିଭୂମିର ଧୀରେ ଧୀରେ ସମ୍ପ୍ରସାରଣ ଗ୍ରାହକଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିଛି। ଯଦିଓ ଆଭ୍ୟନ୍ତରୀଣ ଦହନ ଇଞ୍ଜିନ ଯାନ ତୁଳନାରେ ସାମଗ୍ରିକ ବିକ୍ରି ସାମାନ୍ୟ ରହିଛି, ତଥାପି ଆମେ ପ୍ରତିମାସରେ ସ୍ଥିର ଅଭିବୃଦ୍ଧି ଦେଖୁଛୁ। ବିଶେଷକରି ସହରାଞ୍ଚଳ ଏବଂ ଅର୍ଦ୍ଧ-ସହରାଞ୍ଚଳ କ୍ଲଷ୍ଟର ମଧ୍ୟରେ ଏହି ଅଭିବୃଦ୍ଧି ହେଉଛି। ହୁଣ୍ଡାଇ କ୍ରେଟା ଇଭି, ମହିନ୍ଦ୍ରା ଏସ୍‌ୟୁଭି୯ଇ ଏବଂ ବିଇ.୬ ଭଳି ମଡେଲ ପ୍ରତି ଗ୍ରାହକଙ୍କ ମଧ୍ୟରେ ଚାହିଦା ବଢ଼ିବାରେ ଲାଗିଛି।
– ଆଦିତ୍ୟ ପାତ୍ର, ପରିଚାଳନା ନିର୍ଦ୍ଦେଶକ, ଆଦିତ୍ୟଗ୍ରୁପ୍‌, ଭୁବନେଶ୍ୱର
ସବ୍‌ସିଡି ପ୍ରଦାନ ଟ୍ରାକ୍ଟର ବିକ୍ରି ବଢ଼ାଇଛି
ଓଡ଼ିଶାରେ ନୂଆ ସରକାର ଗଠନ ଓ ନିର୍ବାଚନ ପ୍ରକ୍ରିୟା ଯୋଗୁଁ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଛି କାରଣ ସାଧାରଣତଃ ସରକାରଙ୍କୁ ସମାଧାନ ହେବାକୁ କିଛି ସମୟ ଲାଗିଥାଏ। ନୂତନ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାର ନବୀକରଣ ଏବଂ ନୂତନ ଲିଜ ପ୍ରଦାନ ଯୋଗୁଁ ମାନ୍ଦାବସ୍ଥା ସହିତ ଖଣି ଶିଳ୍ପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଯଦିଓ କର୍ପୋରେଟ କ୍ରେତା, ଠିକାଦାର ଯେଉଁମାନଙ୍କ ପାଖରେ ଏକ ଦୃଢ଼ ଅର୍ଡର ବୁକ ଥିଲା ସେମାନେ ଗାଡ଼ି କିଣିବା ଜାରି ରଖିଥିଲେ ମଧ୍ୟ ଖୁଚୁରା ଗ୍ରାହକ ଏବଂ ପ୍ରଥମ ଥର କ୍ରେତାମାନେ ଗାଡ଼ି ବଜାରର ଏକ ପ୍ରମୁଖ ଅଂଶ ହୋଇଥିବା କମ ବଜାର ଭାବନା କାରଣରୁ କିଣିବାରୁ ଦୂରେଇ ରହିଥିଲେ। ତେବେ ଟ୍ରାକ୍ଟର ପିଛା ୧୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ୮୦ ୟୁନିଟ ସବସିଡି ପ୍ରଦାନ କରି କୃଷକମାନଙ୍କୁ ଉପକୃତ କରିବା ପାଇଁ ସରକାର ଗୁରୁତ୍ୱାରୋପ କରିଥିଲେ ଏହା ଟ୍ରାକ୍ଟର ଶିଳ୍ପ ବୃଦ୍ଧିର ଏକ ପ୍ରମୁଖ କାରଣ । ଧାନ ଭଳି ଫସଲର ଉତ୍ତମ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସହିତ ସବସିଡ଼ି ଏବଂ ଚାଷୀଙ୍କ ଆକାଉଣ୍ଟକୁ ତୁରନ୍ତ ରାଶି ବଣ୍ଟନ ଟ୍ରାକ୍ଟର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା
– ତେଜିନ୍ଦର ସିଂହ ଭୁମ୍ବର, ନିର୍ଦ୍ଦେଶକ, ପାରାମାଉଣ୍ଟ ଅଟୋମୋଟିଭ୍‌ ପ୍ରାଇଭେଟ୍‌ ଲିମିଟେଡ୍‌

ଓଡ଼ିଶାରେ ପଞ୍ଜିକୃତ ବୈଦ୍ୟୁତିକ ଯାନ (ଇଭି) ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୨୫ ମାର୍ଚ୍ଚ ୬ ସୁଦ୍ଧା ରାଜ୍ୟରେ ୮,୫୮୧ ଦୁଇ ଚକିଆ ଇଭି, ୯୬୫ ତିନି ଚକିଆ, ୮୫୪ ଚାରି ଚକିଆ ଏବଂ ୭୩ ବସ ପଞ୍ଜିକୃତ ହୋଇଛି। ସରକାର ଏ ପର୍ଯ୍ୟନ୍ତ ମୋଟ ‘୨୩୨.୪୫ କୋଟି ସବସିଡି ରାଶି ପ୍ରଦାନ କରିଛନ୍ତି। ଏହା ରାଜ୍ୟ ସରକାରଙ୍କ ଓଡ଼ିଶା ଇଲେକ୍ଟ୍ରିକ ଯାନ ନୀତି ୨୦୨୧ ଅଧୀନରେ ୧,୨୨,୫୭୮ ହିତାଧିକାରୀଙ୍କୁ ଲାଭ ଦେଇଛି। ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା ଇଭି ନୀତି ଅଧୀନରେ ପଞ୍ଜିକୃତ ଯାନବାହନ ସଂଖ୍ୟା ଏବଂ ବଣ୍ଟନ କରାଯାଇଥିବା ସବସିଡି ଏ ବିଷୟରେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓଡ଼ିଶା ବିଧାନସଭାକୁ ସୂଚନା ଦେଇଥିଲେ। ଅନ୍ୟପଟେ ରାଜ୍ୟରେ ଇଭି ପାଇଁ ଭିତ୍ତିଭୂମିରେ ସୁଧାର ଆଣିବା ଜରୁରୀ ହୋଇପଡ଼ିଛି। ବିଶେଷକରି ଚାର୍ଜି ଷ୍ଟେଶନ ସ୍ଥାପନର ଆବଶ୍ୟକତା ପରିଲଖିତ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷର ସୂଚନାନୁସାରେ ଦେଶରେ ସମୁଦାୟ ୨୬୩୬ ଚାର୍ଜି ଷ୍ଟେଶନ ରହିଥିବବେବେଳେ ଓଡ଼ିଶାରେ ମାତ୍ର ୧୮ଟି ଚାର୍ଜିଂଷ୍ଟେଶନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri