ଭେଜ୍‌ ମାଛ ତରକାରି

ଆବଶ୍ୟକ ସାମଗ୍ରୀ: ସୋୟାବିନ୍‌- ୧୦୦ଗ୍ରାମ୍‌, ବ୍ରେଡ- ୨ ଖଣ୍ଡ, କଞ୍ଚା କଦଳୀ- ଛୋଟ ୧ଟି ସିଝା, ଆଳୁ- ୪ଟି, ପିଆଜ- ୨ଟି ବଡ଼, ଅଦା- ଛୋଟ ଖଣ୍ଡେ, କଞ୍ଚାଲଙ୍କା- ୨/୩ଟି, ରସୁଣ- ୨ଟି ବଡ଼, ଜିରା ଓ ସୋରିଷ- ଅଳ୍ପ, ଲଙ୍କାଗୁଣ୍ଡ- ଅଧା ଚାମଚ, ଟମାଟୋ- ୧ଟା ବଡ଼,
ଲୁଣ, ତେଲ ଓ ହଳଦୀ (ଆବଶ୍ୟକ ଅନୁସାରେ)।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସୋୟାବିନ୍‌କୁ ଗରମ ପାଣିରେ ଭିଜାଇ ଚିପୁଡି ରଖନ୍ତୁ। କଞ୍ଚା କଦଳୀ ଓ ଆଳୁର ଚୋପା ଛଡ଼ାଇ ଲୁଣ ଓ ହଳଦୀ ଦେଇ ସିଝାଇ ନିଅନ୍ତୁ। ସୋୟାବିନ୍‌, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କାକୁ ହାଲ୍‌କା ଗ୍ରାଇଣ୍ଡିଂ କରି କିମା କରି ନିଅନ୍ତୁ। ଏଥିରେ ସିଝା ଆଳୁ ଓ କଦଳୀ, ଲୁଣ, ହଳଦୀଗୁଣ୍ଡ ପକାଇ ଭଲଭାବେ ଚକଟି ନିଅନ୍ତୁ। ସେଥିରେ ବ୍ରେଡକୁ ଛୋଟ ଛୋଟ କରି ମିଶାଇ ଦିଅନ୍ତୁ। ଏବେ ଏହି ପେଷ୍ଟକୁ ଛୋଟ ଛୋଟ ଗୁଳା କରି ମଝିରୁ କଣା କରି କଟା ମାଛ ଭଳି ସେପ୍‌ ଦିଅନ୍ତୁ ଓ ତାକୁ ମଇଦାରେ ଗଡ଼ାଇ କୋଟିଂ ଦିଅନ୍ତୁ। ଏହିପରି ସବୁତକ ମାଛ ପିସ୍‌ ଭଳି କରି କଡ଼େଇରେ ତେଲ ପକାଇ ଧୀରେ ଧୀରେ ଭାଜି ଦିଅନ୍ତୁ। ଏହାପରେ ତରକାରି ନିମନ୍ତେ ପିଆଜ, ରସୁଣ, ସୋରିଷ ଓ ଜିରାକୁ ବାଟି ବେସର ମସଲା ଗ୍ରାଇଣ୍ଡିଂ କରି ଦିଅନ୍ତୁ। କଡେଇରେ ତେଲ ଗରମ କରି ସେଥିରେ କଟା ଆଳୁକୁ ଟିକେ ଭାଜି ଦିଅନ୍ତୁ। ପୁଣି ଥରେ କଡେଇରେ ତେଲ ଗରମ କରି ସେଥିରେ କଟା ପିଆଜ ପକାନ୍ତୁ। ପିଆଜ ବାଦାମୀ ହୋଇଗଲେ ସେଥିରେ ବଟା ମସଲାକୁ ଅଳ୍ପ କଷି ସେଥିରେ ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ ଓ ଲୁଣ ପକାଇ ଭଲଭାବେ ଗୋଳାନ୍ତୁ। ଏହାପରେ ଟମାଟୋ ଓ ଆଳୁ ପକାଇ କଷିବା ପରେ ସେଥିରେ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ। ଆଳୁ ସିଝିଗଲା ପରେ ସେଥିରେ ଭଜା ଭେଜ୍‌ ମାଛଗୁଡ଼ିକୁ ପକାନ୍ତୁ। ତେବେ ତରକାରି ଟିକେ ଥଣ୍ଡା ହେବା ପରେ ଏହି ମାଛକୁ ପକାଇଲେ ତାହା ଫିଟିବ ନାହିଁ।